ପୌର ଫଇସଲା: ୩ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । ସାରା ରାଜ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ବିଳମ୍ବରେ ଆରମ୍ଭ ହୋଇଛି । ଗତକାଲି ରାତିରେ ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ସାମ୍ନାରେ ଉତ୍ତେଜନା କାରଣରୁ ଆଜି ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ଭୁବନେଶ୍ୱର ମହାନଗର ନିଗମରେ ଭୋଟ ଗଣତିରେ ଆଗୁଆ ରହିଛି ବିଜୁ ଜନତା ଦଳ । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣିତରେ ଭୁବନେଶ୍ୱରର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୧୩ ହଜାର ୮୫୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ୮ ହଜାର ୫୨୭ ଖଣ୍ଡ ଭୋଟ ପାଇଛି ।  ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୫୫୧ ଖଣ୍ଡ ପାଇଛନ୍ତି ।

ସେହିପରି କଟକ ମହାନଗର ନିଗମରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ହେବା ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ୧୭ ହଜାର ୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୧୩ ହଜାର ୮୫୦ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୬ ହଜାର ୨୬୪ ଖଣ୍ଡ ଭୋଟ ପାଇଛନ୍ତି ।

ସେପଟେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୯ ହଜାର ୨୯୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର ୨୧ ହଜାର ୭୭୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ୩ ହଜାର ୫୧୮ ଖଣ୍ଡ ଭୋଟ ପାଇଛନ୍ତି ।