ମାର୍ଚ୍ଚ ୩୦ରେ ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ରପ୍ରତାପ ମହାରଥୀ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ବିଜେଡି ପକ୍ଷରୁ ଏହି ଘୋଷଣା କରାଯାଇଛି । ରୁଦ୍ରଙ୍କ ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଏକ ବୈଠକ ବସିଥିଲା । ଭୁବନେଶ୍ବରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବାସଭବନରେ ବସିଥିବା ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପିପିଲି ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଧ୍ରୁଵ ସାହୁ, ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

ବୈଠକରେ ନିର୍ବାଚନୀ ରଣନୀତି ନେଇ ଆଲୋଚନା ହୋଇଛି । ପିପିଲି ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତ ପାଇଁ କମିଟି ଗଠନ କରିଛି ବିଜେଡି । ରୁଦ୍ର ମହାରଥୀଙ୍କୁ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବା ନେଇ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ପ୍ରତିକ୍ରିୟା ଦେଇଛନ୍ତି । ରୁଦ୍ରଙ୍କ ପ୍ରାର୍ଥିତ୍ବ ନେଇ ମହାରଥୀ ପରିବାରରେ କୌଣସି ଦ୍ବିମତ ନାହିଁ । ଏହା କେବଳ ଗଣମାଧ୍ୟମର ସୃଷ୍ଟି ବୋଲି ପ୍ରତାପ ଦେବ କହିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ମହାରଥୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲେ ।

ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିପୁଳ ଭୋଟ୍‌ ବ୍ୟବଧାନରେ ପିପିଲି ଉପନିର୍ବାଚନ ଜିତିବେ ବୋଲି ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ, ଲୋକପ୍ରିୟତା ଓ ଲୋକାଭିମୁଖୀ କାମ ରୁଦ୍ରଙ୍କୁ ବହୁ ଭୋଟ୍ ବ୍ୟବଧାନରେ ଜିତାଇବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ତା’ପରେ ବିଜେଡି ଗଠନ ପରେ ପିପିଲିରେ ଦଳର ପ୍ରଭାବ ରହିଆସିଛି ।

Leave a Reply