କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବାଜିମାତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ । ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ଏକପାଖିଆ ଭାବେ ଜିତିଛନ୍ତି । ତାଙ୍କୁ ୩୦ ଜିଲ୍ଲା ପରିଷଦ ସଦସ୍ଯଙ୍କ ସମର୍ଥନ ମିଳିଛି । ଏହି ନିର୍ବାଚନ ପାଇଁ ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ଦେଇ ନଥିଲେ । ବିଜୟ ପାଇଁ ଲିଲିତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୋଟ ୩୨ ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀ ୩୧ଟି ଆସନରେ ଓ ବିଜେପି ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଗୀତାଞ୍ଜଳୀ ସେଠୀ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସାଧାରଣ ନିର୍ବାଚନ ସମୟରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଏବଂ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପଦବୀ ଖାଲି ଥିଲା । ଏହି ଆସନ ପାଇଁ ଆଜି ନିର୍ବାଚନ କରାଯାଇଥିଲା ।