ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ମୈଦାନରେ ଦୀପାଳିଙ୍କୁ ବିପୁଳ ଜନ ସମର୍ଥନ

ଝାରସୁଗୁଡ଼ା: ଜମୁଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର । ମୈଦାନରେ ୩ ପ୍ରମୁଖ ରାଜେନୖତିକ ଦଳ । ଟକ୍କର ଜବରଦସ୍ତ । ହେଲେ ପ୍ରଚାରରେ ସମସ୍ତଙ୍କ ଆଗରେ ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଦୀପାଳି ଆଜି ଲଇକେରା ବ୍ଲକ ତିଲେଇମାଲ ପଞ୍ଚାୟତ କୁକେରମା ଗାଁରୁ ପ୍ରଚାର ଆରମ୍ଭ କରିଥିଲେ । ପଞ୍ଚାୟତର ବିଭିନ୍ନ ଗାଁରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ୍ ଭିକ୍ଷା କରିବା ପରେ ଜାମମାଲ, ବାବୁ ଚିପିଡିହି, ସାହସପୁର ଓ ଭାଟଲୋଇଡା ପଞ୍ଚାୟତର ବିଭିନ୍ନ ଗାଁରେ କ୍ୟାମ୍ପେନିଂ କରିଥିଲେ । ଗାଁ ଗାଁରେ ଦୀପାଳିଙ୍କ ପ୍ରତି ଦେଖିବାକୁ ମିଳିଥିଲା ବିପୁଳ ଜନ ସମର୍ଥନ । ଯେଉଁ ଗାଁକୁ ପ୍ରଚାର ପାଇଁ ଗଲେ ଦୀପାଳିଙ୍କୁ ମହିଳାମାନେ ଫୁଲ ଚନ୍ଦନ ଲଗାଇ ହୁଳହୁଳି ଦେଇ ସ୍ଵାଗତ କରୁଛନ୍ତି । ଲୋକପ୍ରିୟତା ଓ ଜନ ସମର୍ଥନ ଦିନକୁ ଦିନ ବଢୁଥିବା ବେଳେ ଓ ଝିଅ ଭଳି ଭଲ ପାଇବା ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଦୀପାଳି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାର ସୁଫଳ ଝାରସୁଗୁଡ଼ାବାସୀ ପାଇଛନ୍ତି । ଏହାକୁ ଆଧାର କରି ଲୋକଙ୍କ ପାଖରେ ପହଞ୍ଚୁଛି ବିଜେଡି । ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ, ସଭା କରି ଜୋରଦାର ପ୍ରଚାର କରୁଛନ୍ତି । ମାଟିର ଝିଅ ଦୀପାଳିଙ୍କୁ ସବୁଠି ମିଳୁଛି ମନଖୋଲା ସମର୍ଥନ ।