ମୋ ସହ ନବୀନ ଅଛନ୍ତି, ବାପାଙ୍କ ସ୍ୱପ୍ନ ପୂରଣ କରିବି: ଦୀପାଳି

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ଆଜି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମିଲିପାଲିରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭାଷଣ ଦେବା ସମୟରେ ଭାବବିହ୍ୱଳ ହୋଇଯାଇଥିଲେ । ବାପା ନବ ଦାସଙ୍କୁ ମନେ ପକାଇଥିଲେ । ଏଥିସହିତ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ସଂକଳ୍ପ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଥିଲେ ।

ନିଜ ଭାଷଣରେ ଦୀପାଳି କହିଛନ୍ତି, ” ମୋ ବାପା ଗଲା ପରେ ନବୀନ ପଟ୍ଟନାୟକ ଆମ ପାଖେ ପାଖେ ଠିଆ ହୋଇଛନ୍ତି, ସେତିକି ମୋ ପାଇଁ ବହୁତ ବଡ କଥା । ମୋ ବାପା ଗଲା ପରେ ଝାରସୁଗୁଡାବାସୀ କହିଥିଲେ ବୁଇ ତୁ ଏକା ଅନାଥ ହୋଇନାହୁଁ ଆମେ ବି ଅନାଥ ହୋଇଯାଇଛୁ। ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି ମୁଁହି ବି ଅନାଥ ନାହିଁ, ନା ଝାରସୁଗୁଡାବାସୀ ଅନାଥ ଅଛନ୍ତି । ଆମର ସାଙ୍ଗେ ଯାହାର ହାତ ଅଛି , ସେ ଆଜି ଆମ ସାଙ୍ଗରେ ବସିଛନ୍ତି v। ସେ ଆଉ କେହି ନୁହଁନ୍ତି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଯଦି ମୋ ବାପା ବଂଚିଥାନ୍ତେ ଆଉ ଦେଖିଥାନ୍ତେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସହ ଷ୍ଟେଜରେ ଏମିତି ଦୁଇ ପଦ କଥା କହିପାରୁଛି । ସେ ବହୁତ ଗର୍ବ କରିଥାନ୍ତେ ଆଜି । ସେଥିଲାଗି ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାପାଇଁ ଚାହିଁବି ମତେ ଏମିତି ବଡ ସୁଯୋଗ ଦେଇଥିବାରୁ । ମା ମାନେ ଆପଣମାନେ ସମସ୍ତେ ଜାଣିଛନ୍ତି ଆପଣଙ୍କ ପ୍ରିୟ ନବ ଦାଦା ଆମ ସମସ୍ତଙ୍କୁ ଛାଡି ପଳାଇଲେ, ତାଙ୍କ ଗଲା ପରେ ଯେଉଁ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ସହ ବାପା ହିସାବରେ ଠିଆ ହୋଇଛନ୍ତି, ତାହାକୁ ମୁଁ ଏବଂ ମୋ ପରିବାର କେବେ ନାଇ ଭୁଲିବୁ ।

ଆପଣ ସମସ୍ତେ ଜାଣିଥିବେ ମୋ ବାପାଙ୍କର ଗୋଟିଏ ସ୍ବପ୍ନ ଥିଲା , ନୂତନ ଝାରସୁଗୁଡା ନିର୍ମାଣ । ତାଙ୍କର ଚିନ୍ତାଧାରା ଥିଲା ବିକାଶ। ସୋଚ ଥିଲା ବିକାଶ । ସେ ସବୁବେଳେ କହୁଥିଲେ ମୁଁ ଲୋକଙ୍କ ପାଇଁ ବଂଚିଛି, ଆଉ ଏହି ଝାରସୁଗୁଡାବାସୀଙ୍କ ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛି । ସେ ତାଙ୍କ ଶେଷ ଅଭିଭାଷଣରେ ମଧ୍ୟ କହିଥିଲେ ବିକାଶ ରାଜନୀତିରୁ ସବୁବେଳେ ଉଦ୍ଧ୍ବରେ ଅଛି। ମୁଁ ଥାଏ ନଥାଏ ବିକାଶର କାମ ସବୁବେଳେ ଜାରି ରହିବ। ଆଜି ତାଙ୍କରି ସ୍ବପ୍ନର ମଙ୍ଗ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଲଢିବାକୁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ବିଶ୍ବାସ କରିଛନ୍ତି , ମୁଁ ଆପଣଙ୍କ ସେବା କରିପାରିବି । ମତେ ବିଶ୍ବାସ କରିକି ଏହି ଟିକେଟ ଦେଇଛନ୍ତି ।”