ପଦମପୁରରେ ବର୍ଷାଙ୍କ ଉପରେ ଭୋଟ୍ ବର୍ଷା, ବିଜେପି ନିରାଶ
ଭୁବନେଶ୍ୱର: ପଦମପୁର ଉପନିର୍ବାଚନ ଫଳାଫଳ ଆସିଛି । ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୧,୯୪୬ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି ।
ବର୍ଷାଙ୍କ ଉପରେ ଭୋଟ୍ ବର୍ଷା
ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦମପୁର ଭୋଟର ସମର୍ଥନ ଦେଇଛନ୍ତି । ବିଜେପିର ସବୁ ପ୍ରକାରର ନକରାତ୍ମକ ପ୍ରଚାରକୁ ଭୋଟର ପ୍ରତ୍ୟାଖାନ କରି ପ୍ରସଙ୍ଗ ଭିତ୍ତିକ ନିର୍ବାଚନକୁ ସମର୍ଥନ କରିଥିବା ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ବିଜେପି କେବଳ ପ୍ରଚାରର ହାୱା ସୃଷ୍ଟି କରି ଉପନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଥିଲା ବୋଲି ରାଜନୈତିକ ବିଶ୍ଲେଷକ କହିଛନ୍ତି । ବର୍ଷାଙ୍କୁ ମୋଟ ୧ ଲକ୍ଷ ୧୮ ହଜାର ୮୫୮ ଭୋଟ ମିଳିଛି । ଅନ୍ୟପକ୍ଷରେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭ ହଜାର ୧୮୫ ଭୋଟ୍ ମିଳିଛି । ସେହିଭଳି କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମିଳିଛି ୩୫୩୧ ଖଣ୍ଡ ଭୋଟ।
ପଦମପୁରରେ ଉତ୍ସବ
ବର୍ଷାଙ୍କ ବିଜୟ ପରେ ପଦମପୁରରେ ଉତ୍ସବର ପରିବେଷ ସୃଷ୍ଟି ହୋଇଛି । ବର୍ଷା ନିଜ ବିଜୟ ପାଇଁ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।