ସହରୀ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ, ସବୁଠି ବିଜେଡି ହାଓ୍ବା

1 min read

ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ଗୋଟିଏ ଦିନ । ଆସନ୍ତାକାଲି ପ୍ରଚାର ସରୁଥିବାରୁ ସବୁ ଦଳ ସହରୀ ଭୋଟରଙ୍କୁ ମନାଇବାକୁ ଲଗାଇ ଦେଇଛନ୍ତି ପ୍ରଣମୂର୍ଚ୍ଛା ଉଦ୍ୟମ । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଲୋକଙ୍କ ନିକଟରେ ପହଞ୍ଚି ସୁବିଧା ଅସୁବିଧା ବୁଝିବା ସହ ବିଭିନ୍ନ ମୁଦ୍ଦା ରଖୁଛନ୍ତି । ହେଭିଓ୍ବେଟ ସାଙ୍ଗକୁ ସିନେ ତାରକାଙ୍କୁ ନେଇ ରାଲି ଶୋଭାଯାତ୍ରା କରୁଛନ୍ତି ପ୍ରତି ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ଯାଏଁ ସବୁଠି ସରଗରମ ମାହୋଲ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ବିରୋଧୀ ପୌର ନିର୍ବାଚନରେ ଇଜ୍ଜତ ବଞ୍ଚାଇବାକୁ କରୁଛନ୍ତି ଜୋରଦାର କସରତ । ସେପଟେ ବିଭିନ୍ନ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ଦଳ ।

ଫୁଲବାଣୀ ପୌର ପରିଷଦରେ ବିଜେଡି ଜୋରଦାର ପ୍ରଚାର ଚଲାଇଛି । ୧୩ ନିମ୍ବର ୱାର୍ଡ କେନ୍ଦୁପଦର ସାହିରେ ବିଜେଡ଼ି ଯୁବ ନେତ୍ରୀ ମାଧବୀ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଲୋକଙ୍କ ଦୁଃଖରେ ଠିଆହେବl ସହ ଦଳର ଆଭିମୁଖ୍ୟ ବିକାଶଙ୍କୁ ଘରେ ଘରେ ପହଁଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି l ମାଧବୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ମଧ୍ୟ ସମର୍ଥନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଉପରେ ସ୍ଥାନୀୟ ଲୋକଙ୍କ ଭରସା ବିଜେଡିକୁ ଦେଉଛି ବଳ ।

ସେହିପରି ଢେଙ୍କାନାଳ ପୌର ପରିଷଦ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଚାଲିଛି ପ୍ରଚାର । ୮, ୧୧, ୧୨, ୧୩, ୧୪, ୧୫ ନମ୍ବର ଓ୍ବାର୍ଡରେ ଘର ଘର ବୁଲି ନିଜ ସମର୍ଥନରେ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ମାରାଥନ ପ୍ରଚାରରେ ସାଂସଦ ମହେଶ ସାହୁ, ସମାଜସେବୀଙ୍କ ସହ ନଗରପାଳ ପ୍ରାର୍ଥିନୀ ଅନିମା ନାୟକ ଏବଂ ଓ୍ବାର୍ଡର କାଉନସିଲର ପ୍ରାର୍ଥୀ ମିଳିତ ଭାବେ ପ୍ରଚାର କରୁଛନ୍ତି । ନିର୍ବାଚନରେ ବିଜେଡି ବାଜିମାତ୍ କରିବ ବୋଲି ପ୍ରାର୍ଥୀମାନେ ଆଶାୟୀ ଅଛନ୍ତି ।

କଟକରେ ସିଏମସି ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଶାସକ ଦଳ ବିଜେଡି ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଞ୍ଚି ଭୋଟ ଭିକ୍ଷା କରୁଛି । ଚୌଦ୍ବାର କଟକ ୪୭ ନମ୍ବର ଓ୍ବାର୍ଡରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୁବ୍ରତ ଘଡାଇ ବିଧାୟକ ଓ ଶତାଧିକ ମହିଳାଙ୍କୁ ନେଇ ପ୍ରଚାର କରିଛନ୍ତି । ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ନେଇ ଜନ ସମର୍ଥନ ସାଉଁଟୁଛନ୍ତି ବିଜେଡି ପ୍ରାର୍ଥୀ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ହାତେଇବା ପାଇଁ ତ୍ରି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଅଧ୍ୟକ୍ଷ ପଦ ପାଇଁ 6 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ବୁଲି ଭୋଟ ଭିକ୍ଷା କରୁଛନ୍ତି । ପୁଣି ଥରେ ଗଡ଼ କବଜା ଲକ୍ଷ୍ୟରେ ବିଜେଡି ଜୋରଦାର ପ୍ରଚାର କରୁଛି । ଘର ଘର ବୁଲି ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଭି ରବି ନାରାୟଣ ରାଜୁ ପ୍ରଚାର ଲୋକଙ୍କ ସମର୍ଥନ ସାଉଁଟୁଛନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ।

ଗୁଣୁପୁରରେ ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ସଂଯୁକ୍ତା ସାହୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଗୁଣୁପୁର ଷ୍ଟେଟ୍ ବ୍ୟାଙ୍କ୍ ଛକ ଚା ଦୋକାନରେ ଚା ପିଇବା ସହ ସମର୍ଥକଙ୍କୁ ନେଇ ପ୍ରଚାର କରିଛନ୍ତି ଜଗନ୍ନାଥ ସାରକା । ଏହାସହ ଚା ଖଟିରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ସୁବିଧା ଅସୁବିଧାକୁ ନେଇ ଆଲୋଚନା କରିଛନ୍ତି ବିଧାୟକ ।