ପଞ୍ଚାୟତ ଫଳାଫଳ: ବିଜେଡିକୁ ରେକର୍ଡ ବ୍ରେକିଂ ଜନମତ

ଭୁବନେଶ୍ବର: ୨୦୨୨ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଯେତେ ସରି ସରି ଆସୁଛି ବିଜେଡି ସେତେ ଆଗେଇ ଚାଲିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଥିବା ସଫଳତାର ରେକର୍ଡକୁ ନିଜେ ଭାଙ୍ଗି ସାରିଛି । ସାରା ରାଜ୍ୟର କୋଣ ଅନୁକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଓ ବିକାଶମୂଳକ ଯୋଜନାକୁ ମିଳିଛି ଜନ ସମର୍ଥନ ।

ବର୍ତ୍ତମାନ ସୁଦ୍ଧା ୮୫୨ ଜିଲ୍ଲା ପରିଷଦ ଜୋନରୁ ୮୫୧ ଜୋନର ଫଳାଫଳ ଆସୁଛି । ୭୬୨ ଜୋନରେ ବିଜେଡି ଆଗରେ ଚାଲିଛି । ଏଥିମଧ୍ୟରୁ ୫୪୩ ଆସନରେ ବିଜେଡି ବିଜୟ ବାନା ଉଡାଇ ସାରିଛି । ବାକି ଆସନରେ ବିଜେଡି ପ୍ରତିପକ୍ଷଙ୍କଠାରୁ ବହୁ ଆଗରେ ଚାଲିଛି ।

ଅନ୍ୟପକ୍ଷରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ହାପ ସେଞ୍ଚୁରୀ ମାରିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି । ୨୦୧୭ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇ ୨୫୦ରୁ ଜିଲ୍ଲା ପରିଷଦ ଜୋନ ଜିତିଥିବା ବିଜେପି ମାଟି କାମୁଡ଼ି ପଡିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗରେ ଚାଲିଛି । ବିଜେପିର ମିଛ, ଛଳନା, ଅହଂକାରର ଉତ୍ତର ଓଡ଼ିଶାବାସୀ ବାଲାଟ ପେପରରେ ଦେଇଛନ୍ତି ।

କଂଗ୍ରେସ କଥା ନକହିବା ଭଲ । ସର୍ବ ପୁରାତନ ଜାତୀୟ ଦଳ କଂଗ୍ରେସ ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିଲେ ବି ଏଥିରୁ କିଛି ଶିଖିବା ଭଳି ମନେ ହେଉନାହିଁ । ଓଡ଼ିଶାରେ ଅସ୍ତିତ୍ବ ହରାଇବାକୁ ବସିଥିବା ଏହି ଜାତୀୟ ଦଳ ୪୬ଟି ଜୋନରେ ଆଗରେ ରହିଛି । ଏଥିରୁ ୩୧ଟିରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଅନ୍ୟମାନଙ୍କ ଖାତାକୁ ୭ଟି ଆସନ ଯାଇଛି ।

୨୦୧୨ ମସିହା ପଞ୍ଚାୟତ ନିର୍ବାଚନରେ ବିଜେଡି ସର୍ବାଧିକ ୬୫୧ ଜିଲ୍ଲା ପରିଷଦ ଆସନରେ ବିଜୟ ହୋଇଥିଲା । ଜନତା ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଅଦ୍ଭୁତପୂର୍ବ ସମର୍ଥନ ଦେଇ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଓଡ଼ିଶାବାସୀଙ୍କ ଏହି ଜନମତ ପ୍ରମାଣିତ କରିଦେଇଛି ‘ବିକାଶ ଯେଉଁଠି, ଭୋଟ୍ ସେଇଠି ।’ ୨୨ ବର୍ଷ ଶାସନରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଛି ବିଜେଡି । ଚଳିତ ଜନମତରେ ସବୁଠୁ ବଡ଼ ପଞ୍ଚାୟତ ସ୍କୋର କରିବାକୁ ଯାଉଛି ବିଜେଡି । ବିରୋଧୀ ଆଖପାଖରେ ନାହାନ୍ତି । ଏପରିକି ୫୦ ଅଙ୍କ ଛୁଇଁବାକୁ ଘୋଡାଡି ହେଉଛନ୍ତି ବିଜେପି ଓ କଂଗ୍ରେସ ।

Leave a Reply