ଆଳୁ ସଂକଟ ପାଇଁ ସରକାରଙ୍କ ପୂର୍ବପ୍ରସ୍ତୁତି ଅଭାବକୁ ଦାୟୀ କଲା ବିଜେଡ଼ି

ନନ୍ଦିଘୋଷ ବ୍ୟୁରୋ: ଆଳୁଠାରୁ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ଓ ରେଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ବିଜେଡ଼ି । ଆଳୁ ସଂକଟ ଦୂର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଏହା ସହିତ ରାଜ୍ୟରେ ରହୁଥିବା ସମସ୍ତଙ୍କୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ସରକାରଙ୍କୁ ମନେ ପକାଇ ଦେଇଛି ବିଜେଡି । ଭୁବନେଶ୍ୱରରେ ବିଜେଡି ମୁଖ୍ୟାଳୟ ଶଂଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତଥା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ଆଳୁ ସଂକଟ ଦୂର କରିବାରେ ସରକାର ବିଫଳ

ଆଳୁ ଦରବୃଦ୍ଧି ଓ ଅଭାବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସଂତୃପ୍ତ ମିଶ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଣ କଥା ହୋଇଛନ୍ତି ଆମେ ଜାଣିନୁ । ଆଳୁ ଦର କେମିତି କମିବ, ସାଧାରଣ ଲୋକଙ୍କ କଷ୍ଟ କେମିତି ଦୂର ହେବ, କଳା ବଜାରି ଉପରେ କେମିତି ଅଙ୍କୁଶ ଲାଗିବ ତାହା ଆମର ଚିନ୍ତା । ସରକାର ଆଗରୁ ପ୍ରୋଆକ୍ଟିଭ ହୋଇ କାମ କରିଥିଲେ, ଏପରି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା । ସରକାର ଅନ୍ୟ ଜାଗାରୁ ଆଳୁ ଆଣି ପାରିଥାନ୍ତେ । ବିଜେଡି ସମୟରେ ଏପରି ହେଉ ନଥିଲା କାରଣ ସେତେବେଳେ ସରକାରଙ୍କ ପୂର୍ବପ୍ରସ୍ତୁତି ଥିଲା।

ବାଂଲାଦେଶୀ ଅନୁପ୍ରବେଶ ଓ ସୁରକ୍ଷା

ସମସ୍ତଙ୍କ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେବା ବିଜେଡ଼ିର ନୀତି । ଭାରତୀୟ ନାଗରିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଓଡ଼ିଶାରେ ଵି ଯିଏ ଅଛନ୍ତି, ସେମାନଙ୍କ ସୁରକ୍ଷା ଵି ଓଡ଼ିଶା ସରକାରଙ୍କ ଦାୟିତ୍ୱ । ଯେଉଁ ମାନେ ନାଗରିକ ନୁହେଁ, ତାଙ୍କୁ ଚି଼ହ୍ନଟ କରନ୍ତୁ ।

ରେଳ ପ୍ରକଳ୍ପକୁ ନେଇ ସରକାରଙ୍କୁ ଟାର୍ଗେଟ୍

ସାତ ବର୍ଷ ତଳେ ଘୋଷଣା ହୋଇଥିବା ରେଳ ପ୍ରକଳ୍ପକୁ ପୁଣି ଘୋଷଣା କରିବାର କଣ ଆବଶ୍ୟକ ପଡିଲା ବୋଲି ବିଜେଡି ପ୍ରଶ୍ନ କରିଛି । ପୁରୁଣା ପ୍ରକଳ୍ପ ବାବଦରେ ପୁଣି ଘୋଷଣା କରିବାର କାରଣ କ’ଣ , ତାହା କିଛି ଜଣା ପଡୁନି ବୋଲି ବିଜେଡ଼ି କହିଛି । ସାତ ବର୍ଷ ତଳେ ଯଦି ବଜେଟରେ ଥିଲା, ତାହା କାହିଁକି କାର୍ଯ୍ୟକାରୀ ହୋଇ ନଥିଲା ଏବଂ ତାକୁ ପୁଣି ଥରେ ନୂଆ କରି କରିବା ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ସଂତୃପ୍ତ ମିଶ୍ର ।