ଯାଜପୁର ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ, ବିଜେଡି-ବିଜେପି ମୁହାଁମୁହିଁ

ଯାଜପୁର: ଯାଜପୁର ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ ଓ ହଙ୍ଗାମା । ବିଜେଡି ଓ ବିଜେପି ସଦସ୍ୟ ମୁହାଁମୁହିଁ ହୋଇଛନ୍ତି । ଆଜି ପୂର୍ବାହ୍ନରେ ବୈଠକ ଆରମ୍ଭ ହେବା ମାତ୍ରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ନିଜ ଆସନ ଛାଡ଼ି ତଳକୁ ଆସି ନିଜର ଅସହାୟତା ପ୍ରକାଶ କରିଥିଲେ । ସରକାରୀ କାର୍ଯକ୍ରମରେ ଅଣଦେଖା, ଭତ୍ତା ବୃଦ୍ଧି, ହାତ ପାଣ୍ଠି ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ଏପରିକି ତାଙ୍କ ଏରିଆରେ ତାଙ୍କୁ ନିମନ୍ତ୍ରଣ କରାଯାଉ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହାର ଜବାବ ଦେବାକୁ ଯାଇ ବଡଚଣା ବିଧାୟକ ଅମର ନାୟକଙ୍କ ସହିତ ପ୍ରବଳ ଯୁକ୍ତି ତର୍କ ହୋଇଛି । ଏହାକୁ ନେଇ ସମସ୍ତ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟମାନେ ସମର୍ଥନ କରି ବିଜେପି ବିଧାୟକଙ୍କୁ ଘେରିଥିଲେ। ପରେ ଜିଲ୍ଲାପାଳ ସମସ୍ତ ଅଭିଯୋଗର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବୈଠକ ସ୍ୱାଭାବିକ ହୋଇଥିଲା ।
ଏହା ପରେ ବିଭିନ୍ନ ଏଜେଣ୍ଡା ଅନୁଯାୟୀ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଳିନୀପ୍ରଭା ଜେନା, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟସଭା ସାଂସଦ ସୁଲତା ଦେଓ, ବଡଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ , ଜିଲାପାଳ ପିଅନ୍ୱେଶା ରେଡି ପ୍ରମୁଖ ଯୋଗ ଦେଇଥିଲେ ।