ସୁନ୍ଦରଗଡ଼ ଲୋକସଭା ଆସନ: ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର

1 min read

ସୁନ୍ଦରଗଡ଼: ସଭା ସମିତି ଓ ଶୋଭାଯାତ୍ରାରେ କମ୍ପୁଛି ନିର୍ବାଚନୀ ପରିବେଶ । ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ୮ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ଯରେ ଦେଖିବାକୁ ମିଳୁଛି ତୀବ୍ର ପ୍ରତିଦ୍ବନ୍ଦ୍ବିତା । ଆସନ୍ତା ୨୦ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ ।

ସୁନ୍ଦରଗଡ଼ ଲୋକସଭା ଆସନଟି ଅନୁସୂଚିତ ବର୍ଗ ପାଇଁ ସଂରକ୍ଷିତ ରହିଛି । ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୫ ଲକ୍ଷ ୬୭ ହଜାର ୬୫ ଜଣ ଭୋଟର ରହିଛନ୍ତି । ସେଥିରୁ ପୁରୁଷ ୭ ଲକ୍ଷ ୭୩ ହଜାର ୫୭୧ ଓ ମହିଳା ୭ ଲକ୍ଷ ୯୩ ହଜାର ୩୨୭ । ତୃତୀୟ ଲିଙ୍ଗୀ ଭୋଟର ୧୬୭ ଜଣ ଅଛନ୍ତି । ଭିନ୍ନକ୍ଷମ ଭୋଟର ଅଛନ୍ତି ୨୧ ହଜାର ୦୪୨ ଏବଂ ୮୦ ବର୍ଷ ଓ ତାଠୁ ଅଧିକ ବର୍ଷର ଭୋଟରଙ୍କ ସଂଖ୍ୟା ରହିଛି ୯ ହଜାର ୪୨୨ । ନୂତନ ଭାବେ ମତଦାନ କରିବେ ୩୭ ହଜାର ୬୧୭ ଭୋଟର । ୮ ଜଣ ପ୍ରାର୍ଥୀଙ୍କ ମଧ୍ଯରେ ଚାଲିଛି ଜୋରଦାର ପ୍ରତିଦ୍ଵନ୍ଦ୍ବିତା । ବିଜେଡିରୁ ଦିଲ୍ଲୀପ ତିର୍କୀ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ମଇଦାନକୁ ଓହ୍ଲାଇଛନ୍ତି । SUCI ପ୍ରାର୍ଥୀ ଭାବେ ଜଷ୍ଟିନ ଲୁଗୁନ, ସ୍ଵାଧୀନ ପ୍ରାର୍ଥୀ ଭାବେ ଜଗବନ୍ଧୁ ଓରାମ, ନ୍ଯାସନାଲ ଆପନି ପାର୍ଟିରୁ ସୁମନ୍ତ କୁମାର ସୋରେନ୍, ନବଭାରତ ନିର୍ମାଣ ସେବା ପାର୍ଟିରୁ ସନ୍ତୋଷ ଜୁରା ଓ ଝାଡ଼ଖଣ୍ଡ ପାର୍ଟିରୁ ପାରୁଆ ଏକ୍କା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ନିଜ ପ୍ରସଙ୍ଗ ଧରି କରୁଛନ୍ତି ପ୍ରଚାର ।

୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ ୨ ଲକ୍ଷ ୮୦ ହଜାର ୫୪ ଭୋଟ୍ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଜୁଏଲ ଓରାମ ୨ ଲକ୍ଷ ୬୮ ହଜାର ୪୩୦ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ୨୦୧୪ରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ବିଜେପିର ଜୁଏଲ ଓରାମ ୩ ଲକ୍ଷ ୪୦ ହଜାର ୫୦୮ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡିର ଦିଲ୍ଲୀପ ତିର୍କୀ ୩ ଲକ୍ଷ ୨୧ ହଜାର ୬୭୯ , କଂଗ୍ରେସର ହେମାନନ୍ଦ ବିଶ୍ୱାଳଙ୍କୁ ୨ ଲକ୍ଷ ୬୯ ହଜାର ୩୩୫ ଭୋଟ  ମିଳିଥିଲା । ୨୦୧୯ରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ୫ ଲକ୍ଷ ୫୬ ହଜାର ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ଵାଳ ୨ ଲକ୍ଷ ୭୬ ହଜାର ୯୯୧ ଓ କଂଗ୍ରେସର ଜର୍ଜ ତିର୍କୀ ୨ ଲକ୍ଷ ୬୮ ହଜାର ୨୧୮ ଭୋଟ ପାଇଥିଲେ । ଏବେ ପରିସ୍ଥିତି ଦେଖି ଭୋଟର କାହାକୁ ଭୋଟ ଦେବେ ମନ ସ୍ଥିର କରୁଛନ୍ତି ।

ରାଜ୍ଯ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ରେ ଅନେକ ବିକାଶ ହୋଇଛି । ଶିକ୍ଷା, ସ୍ଵାସ୍ଥ୍ଯଠାରୁ ଆରମ୍ଭ କରି ଗମନାଗମନ କ୍ଷେତ୍ରରେ ହୋଇଛି ବିକାଶ । ଲୋକ ବିକାଶକୁ ଗୁରୁତ୍ବ ଦେଉଥିବା ବେଳେ ଜୁନ ୪ରେ ଫଳାଫଳ ଜଣାପଡ଼ିବ ।