ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କଲେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ

ଖୋର୍ଦ୍ଧା: ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ଆର୍ମି ଅଫିସରରୁ ରାଜନେତା ବନିଥିବା ମନ୍ମଥଙ୍କ ନାମାଙ୍କନ ଦାଖଲ ବେଶ ଚର୍ଚ୍ଚା ସାଉଁଟିଛି। ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ। ହଜାର ହଜାର ସମର୍ଥକଙ୍କୁ ଧରି ଖୋର୍ଦ୍ଧାରେ ପହଞ୍ଚିଥିଲେ ମନ୍ମଥ। ବୀର ପାଇକ ନୃତ୍ଯ ସହ ପାରମ୍ପରିକ ନାଚଗୀତରେ ସମର୍ଥକ ଶୋଭାଯାତ୍ରା ଗହଣରେ ବାହାରି ମନ୍ମଥ ନାମାଙ୍କନ ଭରିଛନ୍ତି । ପାଖେ ପାଖେ ଉପସ୍ଥିତ ଥିଲେ ବାପା ତଥା ଭେଟରାନ ସୁରେଶ ରାଉତରାୟ।
ତେବେ ସକାଳେ ଗାଡ଼ି ବା କୌଣସି ଆକର୍ଷଣୀୟ ଶୋଭାଯାତ୍ରା ନୁହେଁ ବରଂ ଯୁବକଙ୍କ ସହ ଦୌଡ଼ି ଦୌଡ଼ି ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ ରାଉତରାୟ । ରାସ୍ତା ଦୁଇ ପାର୍ଶ୍ବରେ ଲୋକମାନେ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ସବୁଥର ନିଜେ ପ୍ରାର୍ଥିପତ୍ର ଦାଖଲ କରୁଥିବା ସୁରେଶ ଏଥର କିନ୍ତୁ ନିଜ ପୁଅ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ସୁସଜ୍ଜିତ ବଳଦ ଯୋଚା ହୋଇଥିବା ଶଗଡ଼, ପାଇକ ନୃତ୍ୟ , ଢୋଲ ମହୁରୀ ଶଙ୍ଖ ଆଦି ନେଇ ବାହାରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ।