ଦୁଇ ଛାମୁଆ ସଙ୍ଗଠନର ସଭାପତି ନିଯୁକ୍ତ କଲା ବିଜେଡି, ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ର ଦାୟିତ୍ୱ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନର ମୁଖ୍ୟଙ୍କୁ ନିଯୁକ୍ତି କରାଯାଇଛି । ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ(ବାପି)ଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନୂତନ ଦାୟିତ୍ୱ ମିଳିଛି । ସେହିଭଳି କଟକ ଜିଲା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଛାତ୍ର ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏକ ବିଜ୍ଞପ୍ତି ମାଧ୍ୟମରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।

କିଛିଦିନ ତଳେ ଯୁବ ଏବଂ ଛାତ୍ର  ବିଜେଡି ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇସାରିଛି । ଏହି କମିଟିରେ ସମଗ୍ର ଓଡ଼ିଶାର ସମସ୍ତ ଜିଲା, ସମସ୍ତ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି ।ବିଶେଷ କରି ଉଭୟ କମିଟିରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ଛାତ୍ର ରାଜନୀତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଯୁବବର୍ଗ ରାଜ୍ୟସ୍ତରୀୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅମରେଶ ପତ୍ରୀ ଯୁବ ବିଜେଡି ଏବଂ ରାଣାପ୍ରତାପ ପାତ୍ର ଛାତ୍ର ବିଜେଡି ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ରାଣାପ୍ରତାପଙ୍କୁ ନିକଟରେ ଯୁବ ଜନତା ଦଳରେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା ଅମରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା ।  ଉଭୟ ବ୍ୟୋମକେଶ ଏବଂ ଦେବୀ ରଞ୍ଜନ ଏହି ଦଳୀୟ ନିଯୁକ୍ତି ପରେ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଥିସହିତ ପୂର୍ବରୁ ବ୍ୟୋମକେଶ ରାୟଙ୍କୁ  ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର) ଭାବେ ଦିଆଯାଇଥିବା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

Leave a Reply