ଗଣ୍ଡଗୋଳ ପାଇଁ ଉସକାଉଛି ବିଜେପି: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିକୁ ଘାରିଛି ହାରିବା ଭୟ । କେତେବେଳେ ମାଆମାନଙ୍କୁ ଅପମାନିତ କରୁଛି ତ ଆଉ କେତେ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏବେ ପୁଣି ଧାମନଗରରେ ଗାଁ ଗାଁରେ ଗଣ୍ଡଗୋଳ କରିବାକୁ ବିଜେପି ରଚୁଛି ଷଡଯନ୍ତ୍ର । ଲୋକଙ୍କୁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେପି । ଏମିତି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ଅଭିଯୋଗ ଅନୁସାରେ, ପରାଜୟ ଭୟରେ ଗୋଟିଏ ପରେ ଗୋଟିଏ ମିଛ ଅଭିଯୋଗ ଆଣିବାରେ ଲାଗିଛି ବିଜେପି । ନିର୍ବାଚନ ପୂର୍ବରୁ ଧାମନଗରର ପ୍ରତି ପଞ୍ଚାୟତରେ ଗଣ୍ଡଗୋଳ ପାଇଁ ଉସୁକାଉଛନ୍ତି ବିଜେପି ନେତା ଓ କର୍ମୀ । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପରାହ୍ନ ୪ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡିର ପତିନିଧି ଦଳ ଭେଟି ବିଜେପି ସୃଷ୍ଟି କରୁଥିବା ବିଶୃଙ୍ଖଳା ନେଇ ଅଭିଯୋଗ କରିବେ ବୋଲି ଜଣାପଡିଛି ।

ପୂର୍ବରୁ ଏସଏଚଜି ମହିଳା ଟଙ୍କା ବାଣ୍ଟୁ ଥିବା କହିଥିଲା ବିଜେପି । ଯାହାକୁ ନେଇ ବିଜେଡି ପକ୍ଷରୁ ଆପତ୍ତି ଉଠାଯିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ପ୍ରଚାରରେ ଆସିଥିବା ବେଳେ ମହିଳାମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସ୍ବାଭିମାନ ମାଟି ଧାମନଗରରୁ ଉଠିଥିଲା ସନ୍ତୋଷ ଓ ବିରୋଧର ସ୍ବର । ଏବେ ବିଜେପି ନେତା ଓ କର୍ମୀ ଲୋକଙ୍କୁ ଗଣ୍ଡଗୋଳ ପାଇଁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।