ତେଲରେ ଆମଦାନୀ ଶୁଳ୍କ ଲଗାଇ ଲୋକଙ୍କୁ ଲୁଟୁଛି କେନ୍ଦ୍ର, ଜେତିବାରେ ଲାଗିଛି ଅସନ୍ତୋଷ

ଭୁବନେଶ୍ବର: ତେଲ ଦରରେ ଲାଗିଛି ନିଆଁ । କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଲଗାଇଥିବାରୁ ତେଲ ଲିଟର ପିଛା ଏକାଥରେ ବଢ଼ିଛି ୨୦ ଟଙ୍କା । କେନ୍ଦ୍ର ସରକାରଙ୍କ  ଏପରି ଜନ ବିରୋଧୀ ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି ବିରୋଧୀ । ତୁରନ୍ତ ଦରଦାମ ନିୟନ୍ତ୍ରଣ କରିବାକୁ ବିଜେଡ଼ି ଦାବି କରିଛି । ଖାଇବା ତେଲ ଦର ବୃଦ୍ଧି ନେଇ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ କରିଛି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ଡାଲି, ପିଆଜ, ରସୁଣ ପରେ ଖାଇବା ତେଲ ମହଙ୍ଗା । ଲିଟର ପିଛା ଏକାଥରକେ ୨୦ ଟଙ୍କା ବୃଦ୍ଧି । ହାଣ୍ତିଶାଳରେ ଚଡ଼କ,  ଚିନ୍ତାରେ ଖାଉଟି । କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବଢାଇ ଗ୍ରାହକଙ୍କ ମୁଣ୍ଡରେ ବୋଝ ଲଦି ଦେଇଛନ୍ତି । ପାମୋଲିନ, ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଦର ଆକାଶ ଛୁଆଁ ହୋଇଛି । ହଠାତ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ପାଇବାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବଡ଼ ବଡ଼ କମ୍ପାନୀ ପାଇଁ କେନ୍ଦ୍ରର ବିଜେପି ସରକାର ଗରିବଙ୍କ ପକେଟ ଖାଲି କରୁଛି ବୋଲି ବିଜେଡ଼ି ଅଭିଯୋଗ କରିଛି । କେନ୍ଦ୍ର ସରକାର ତୁରନ୍ତ ଗରିବ ମାରଣ ନୀତି ବନ୍ଦ କରି ଦରଦାମ ନିୟନ୍ତ୍ରଣ କରନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଆମଦାନୀ ଶୁଳ୍କ ବୃଦ୍ଧି ପରେ ବଜାରରେ ବିଭିନ୍ନ ତେଲ ଦର ବଢିଛି । ସୋରିଷ ତେଲ ଲିଟର ୧୪୦ ଟଙ୍କାରୁ ୧୬୦ ଟଙ୍କା, ରିଫାଇନ ତେଲ ଲିଟର ପିଛା ୧୩୦ ଟଙ୍କା ହୋଇଛି । କର୍ପୋରେଟ ଜଗତ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନଥିବାରୁ ବଜାର ଦର ନିୟନ୍ତ୍ରଣ ବାହାରକୁ ଯାଇଛି ବୋଲି ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି । ଦରଦାମ ନିୟନ୍ତ୍ରଣ ନକଲେ ପରିସ୍ଥିତି ବିଗିଡ଼ିଯିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ପାବର୍ଣ ସମୟରେ ଖାଉଟିଙ୍କ ଉପରେ ଦରଦାମ ବୋଝ ଲଦି ଦେଇଛନ୍ତି ସରକାର ।  ତେଲ ଦର ବୃଦ୍ଧି ଜନ ବିରୋଧୀ ଆଭିମୁଖ୍ୟ ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଆଗକୁ ଦର ନିୟନ୍ତ୍ରଣ ନହେଲେ ଆନ୍ଦୋଳନ କରିବାକୁ ଖୋଲା ଚେତବାନୀ ଦେଇଛନ୍ତି ରାଜନେତାମାନେ ।