ରାସନ କାର୍ଡକୁ ନେଇ ବିଭ୍ରାନ୍ତ କରୁଛନ୍ତି ଯୋଗାଣ ମନ୍ତ୍ରୀ ଓ ତାଙ୍କ ବିଭାଗ: ବିଜେଡି

1 min read

ଭୁବନେଶ୍ବର: ରାସନ କାର୍ଡ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ । ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ । ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ମୃତ ବ୍ୟକ୍ତି ରାସନ କାର୍ଡ ହାତେଇବା ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀଙ୍କ ଲିଖିତ ଉତ୍ତରକୁ ନେଇ ଏମିତି ବର୍ଷିଛି ବିଜେଡି ।

ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀ ବାରମ୍ବାର ବିଭ୍ରାନ୍ତି କରୁଛନ୍ତି ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି । ସେ କହିଛନ୍ତି, ପୂର୍ବରୁ ୨୫ ଲକ୍ଷ ମୃତ ବ୍ୟକ୍ତଙ୍କ ନାଁରେ କାର୍ଡ ଅଛି ବୋଲି ମନ୍ତ୍ରୀ କହୁଥିଲେ, ଏବେ କହୁଛନ୍ତି ୩ ଲକ୍ଷ । ରାସନ କାର୍ଡରେ ସାମିଲ ପ୍ରକ୍ରିୟା ଓ ବାଦ ଦେବା ପ୍ରକ୍ରିୟା ଅଛି । ମୃତ ବ୍ୟକ୍ତିଙ୍କ ସ୍ଥାନରେ ନୂଆ କାର୍ଡ ଦିଆଯାଏ । ନୂଆ ସରକାର E-KYC ନାଁରେ ଅବ୍ୟବସ୍ଥା କରୁଛନ୍ତି । ଯଦି E-KYC କରିବାର ଥିଲା ବିଭାଗ ପକ୍ଷରୁ ଆପ୍ଲିକେସନ ବ୍ୟବସ୍ଥା କରିବାର ଆବଶ୍ୟକ ଥିଲା । ଏହା ନକରି କେବଳ E-KYC କରିବା ଫଳରେ ବାହାରେ ରହୁଥିବା ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ସରକାର । ସରକାର ଯେଉଁ ବ୍ୟବସ୍ଥା କରୁଛନ୍ତି ଏହାଦ୍ଵାରା ୨୫ରୁ ୨୮ ଲକ୍ଷ ଯୋଗ୍ୟ ହିତାଧିକାରୀ କଟି ଯିବେ । ସରକାର ଅଯୋଗ୍ୟଙ୍କ ନାଁରେ ଯୋଗ୍ୟ ହିତାଧିକାରୀଙ୍କୁ ନକାଟନ୍ତୁ ବୋଲି କହିଛନ୍ତି ଗୌତମ ବୁଦ୍ଧ ।

ସେପଟେ ବିଜେଡି ପରେ କଂଗ୍ରେସ ମଧ୍ୟ ରାସନ କାର୍ଡ କାଟିବା ନେଇ ପ୍ରତିକ୍ରିୟା ରଖିଛି ।  ମୃତ ବ୍ୟକ୍ତିଙ୍କ ନାଁ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଉ । ଏଥିରେ ସ୍ୱଚ୍ଛତା ଆସୁ, ହେଲେ ଏହା ଦଳୀୟ ଭିତ୍ତିରେ କରା ନଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ପୂର୍ବ ସରକାରରେ ଯେଉଁମାନେ ରାସନ କାର୍ଡ ପାଇଥିଲେ ଉଦ୍ଦେଶ୍ୟ ମୂଳକ ଭାବେ ସେମାନଙ୍କ ନାମ କଟା ନଯାଉ । ପାନ ଦୋକାନୀ, ପାରିବ ଦୋକାନୀ, ଯେଉଁମାନେ ଗରିବ ଲୋକ ଛୁଆ ପାଠପଢ଼ା ପାଇଁ ଜିରୋ ଇନକମ ଟ୍ୟାକ୍ସ ଭରିଛନ୍ତି ସେମାନଙ୍କ ରାସନ କାର୍ଡ ନକାଟନ୍ତୁ ସରକାର ବୋଲି କହିଛନ୍ତି ତାରା ।