ମିଳିନି ଅଦିନିଆ ବର୍ଷାଜନିତ କ୍ଷତିପୂରଣ, ଚାଷୀଙ୍କୁ ପ୍ରତାରଣା କରିଛନ୍ତି ସରକାର: ଶାସକ-ବିରୋଧୀ ମୁହାଁମୁହିଁ
ଭୁବନେଶ୍ବର: ଚାଷୀଙ୍କ ପ୍ରତି ପ୍ରତାରଣା କରିଛନ୍ତି ସରକାର । ଧାନମଣ୍ଡି ଅବ୍ୟବସ୍ଥାଠାରୁ ଆରମ୍ଭ କରି ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଦେବା ଯାଏଁ ସବୁଠି ସରକାର ବିଫଳ । କେବଳ ଭାଷଣ ବାଜିରେ ସରକାର ଚାଲିଛି କହି କକ୍ଷାକ୍ଷ କରିଛି ବିଜେଡି । ସେହିପରି ଚାଷୀ ଓ ଅଦିନିଆ ବର୍ଷା କ୍ଷତିପୂରଣ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି କହିଛି ମୋହନ ସରକାର ଯାହା ଘୋଷଣା କରିଛନ୍ତି ତାହା ଚାଷୀଙ୍କୁ ମିଳିବ ।
ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ନାହିଁ ଦରଦ । ଧାନମଣ୍ଡି ସମସ୍ୟା ଓ ଅଦିନିଆ ବର୍ଷାର କ୍ଷତିପୂରଣ ନେଇ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ସାରଦା ନାୟକ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଯାହା କହନ୍ତି ତାହା କରନ୍ତିନି । ରାଜ୍ୟରେ କେବଳ କଥା କୁହା ସରକାର ଚାଲିଛି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ରାଜ୍ୟ ସରକାର କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ ହେବା ରାଜ୍ୟରେ ସରକାର ଚାଲୁ ନଥିବା ପରି ଅନୁଭବ ହେଉଛି । ସେହିପରି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ ବିଜେପି ସରକାର ଚାଷୀ ବିରୋଧୀ ।
ଚାଷୀ ପ୍ରସଙ୍ଗରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ କାଠଗଡ଼ାକୁ ଟାଣିବା ପରେ ଜବାବ ରଖିଛି ବିଜେପି । ବିଜେପି କହିଛି ମୋହନ ସରକାର ଯାହା ଘୋଷଣା କରନ୍ତି ତାହା ପାଳନ କରିବେ । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସରକାର ବ୍ୟସ୍ତ ଅଛନ୍ତି । ଚାଷୀଙ୍କ ସମସ୍ୟା ପାଇଁ ଚିରାଚରିତ ଢଙ୍ଗରେ ବିଜେଡିକୁ ଦାୟୀ କରିଛି ବିଜେପି ।
ରାଜ୍ୟରେ ଅମଳ ସମୟରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁଁ ୯ରୁ ଅଧିକ ଚାଷୀ ଜୀବନ ହାରିଛନ୍ତି । ଯାହା କେବେ ଦେଖା ଦେଇ ନଥିଲା ରାଜ୍ୟରେ । ଏତେ ପରେ ମଧ୍ଯ ଚାଷୀଙ୍କ ସମସ୍ୟା ପ୍ରତି ସରକାର ଅଧିକ ଫୋକସ ନକରିବା ଚିନ୍ତାର କାରଣ ବୋଲି କହିଛନ୍ତି ବିରୋଧୀ ।