ନଡ୍ଡାଙ୍କୁ କଡ଼ା ସମାଲୋଚନା କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି

1 min read

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ କଡ଼ା ସମାଲୋଚନା କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ଦିନଠାରୁ ତାଙ୍କର ଏଜେଣ୍ଡା ହେଲା ତାଙ୍କ ଦଳର ସରକାର ନଥିବା ରାଜ୍ୟକୁ ଯାଇ କିଛି ଅଭିଯୋଗ କରିବା । ଓଡ଼ିଶାବାସୀ ବେଜେପି ନେତାଙ୍କ କଥା ଆଜି ଯାଏ ଶୁଣି ନାହାନ୍ତି, ଏବେ କ’ଣ ଶୁଣିବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ତାଚ୍ଛଲ୍ୟ କରିଛନ୍ତି । ଅପପ୍ରଚାର ହେଉଛି ବିଜେପି ନେତାଙ୍କ କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଅହରହ କାମ କରୁଛନ୍ତି । ନଡ୍ଡାଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ସେହିପରି ନଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି l ସେ କହିଛନ୍ତି, ଲୋକଙ୍କୁ ପ୍ରତାରଣା କରିଛି କେନ୍ଦ୍ରର ବିଜେପି ସରକାର l ଦରଦାମ ବୃଦ୍ଧିରେ ଲୋକ ଅତିଷ୍ଠ ହୋଇପଡ଼ିଲେଣି l ଖାଇବା ତେଲ, ଡାଲି, ଆଳୁ ଓ ପିଆଜଠାରୁ ଆରମ୍ଭ କରି ସବୁ ଦର ଏବେ ଆକାଶଛୁଆଁ l ଏହା କ’ଣ ଅଚ୍ଛେ ଦିନ୍‌ ବୋଲି ତାରା ପ୍ରଶ୍ନ କରିଛନ୍ତି ।  କୁଆଡ଼େ ଗଲା ସବୁ ଲୋକଙ୍କ ଖାତାକୁ ୧୫ଲକ୍ଷ ଟଙ୍କା ଓ ୨କୋଟି ନିଯୁକ୍ତି ? ଆବାସ, କେବିକେ ଯୋଜନାରେ ଅର୍ଥ ବନ୍ଦ, ଆଦର୍ଶ ସ୍କୁଲ୍ ଅର୍ଥ କାଟ ଓ ବିଭିନ୍ନ ଯୋଜନା ବନ୍ଦ କରିଛନ୍ତି କେନ୍ଦ୍ର ସରକାର l ଏସବୁ ଓଡ଼ିଶାବାସୀ ଜାଣିଛନ୍ତି l ବିଜେପି ଯେତେ ମିଥ୍ୟା ପ୍ରଚାର କଲେ ସୁଦ୍ଧା ଲୋକ ବିଶ୍ୱାସ କରିବେନି l ବିଜେପି ଲୋକଙ୍କ ସହ ବିଶ୍ୱାସ ଘାତକତା କରିଛି l ତେଣୁ ନଡ୍ଡ଼ାଙ୍କ ଗସ୍ତ ଓ ଭାଷଣର କୌଣସି ପ୍ରଭାବ ପଡିବନି l ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ କରିବେ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।