୫ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ୫ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ ଏକକାଳୀନ ଓଡ଼ିଶା ଆସିବାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ବିଜେଡି ପକ୍ଷରୁ କୁହାଯାଇଛି, ଏବେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଯେଉଁ ଭଳି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି ସ୍ବାଭାବିକ ଭାବେ ତାହା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ମନ୍ତ୍ରୀମାନେ ଆସି ଏଠାରେ ସମୟ ଦେଉଛନ୍ତି ନା ଦଳର ସାଂଗଠନିକ କାର୍ଯ୍ୟ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ‘ଯଦି ଓଡ଼ିଶାର ବିକାଶ କରିବାକୁ ଆସୁଛନ୍ତି ତାହେଲେ ଓଡ଼ିଶାବାସୀ ଖୁସି ହେବେ । ଯଦି ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନେଇ ଆସିଥିବେ ତେବେ ସେମାନେ ନିରାଶ ହେବେ ।’

ସେହିପରି କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଟାକ୍ଷ କରିଛନ୍ତି । ରାଜନୈତିକ ପାଣିପାଗ ଦେଖି 2023ରେ ସାଧାରଣ ନିର୍ବାଚନ ହେବ ବୋଲି ସେ ଆକଳନ କରିଛନ୍ତି । ବିଜେପି ଦରଦାମ ବୃଦ୍ଧି ଲାଗି ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିବନି । କଂଗ୍ରେସ ବି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ସୁର କହିବା ସହିତ ଦଳର 100 ବିଧାୟକ ସିଟ ଫାଇନାଲ୍ ହୋଇସାରିଛି, ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ଫୋକସ୍ କରିବାକୁ କୁହାଯାଇଛି ବୋଲି କହିଛନ୍ତି । ପିସିସି ସଭାପତି ଶରତଙ୍କ ନେତୃତ୍ବରେ ରାଜ୍ୟରେ କଂଗ୍ରେସ ସରକାର କରିବ ବୋଲି ସୁର କହିଛନ୍ତି ।