ମହାୟୁତି ସରକାର ଶପଥ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କ ପ୍ରଶ୍ନ, ରାଷ୍ଟ୍ରପତି ଭୁବନେଶ୍ବରର, ସୌଜନ୍ୟତା ଭୁଲିଗଲ

ଭୁବନେଶ୍ବର: ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ବିଜେପି ସରକାର ସୌଜନ୍ୟତା ଭୁଲିବାରେ ଲାଗିଛନ୍ତି । ଏହି ସାମ୍ବିଧାନିକ ସଭ୍ୟତାକୁ ବଳି ଦେବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେତୃତ୍ୱ ନେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ। ମହାମହିମ ରାଷ୍ଟ୍ରପତି ଆଜି ଭୁବନେଶ୍ୱରରେ ଅଛନ୍ତି । ତାହା ପୁଣି ସରକାରୀ କାର୍ଯ୍ୟକ୍ରମରେ । ହେଲେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି ମହାରାଷ୍ଟ୍ର । ଯେଉଁଠି ସେ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ପରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ଏହା କେଉଁ ଭଳି ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ବିଜେଡି । ସେହିପରି ରାଷ୍ଟ୍ରପତିଙ୍କ ଅପମାନ ବିରୋଧରେ ବର୍ଷିଛି କଂଗ୍ରେସ । ହେଲେ ବିଜେପି ପାଖରେ ଏ ପ୍ରସଙ୍ଗ ନେଇ ନାହିଁ କୌଣସି ସନ୍ତୋଷଜନକ ଉତ୍ତର ।

ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଓଡ଼ିଆ ଆଦିବାସୀ ମହିଳା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ଓଡ଼ିଆ ଗରିମା ପାଇଁ ଦଳଠାରୁ ଊର୍ଦ୍ଧ୍ବରେ ରହି ବିଜେଡି ବି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାରେ ଓଡ଼ିଆ ରାଷ୍ଟ୍ରପତି ଚୟନ ବି ପ୍ରମୁଖ କାରଣ ଥିଲା । ଏହା ବି ଥିଲା ବିଜେପିର ଓଡ଼ିଆ ଅସ୍ମିତାର ଗୋଟିଏ ନାରା । ହେଲେ କ୍ଷମତାକୁ ଆସିବା ପରେ ରାଷ୍ଟ୍ରପତି ବି ବିଜେପି ଏଜେଣ୍ଡାରୁ ଦୂରେଇ ଯିବା ପରି ବିରୋଧୀ ଅନୁଭବ କରିଛନ୍ତି । କାରଣ ଯେଉଁ ପାଞ୍ଚ ଦିନ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଅଛନ୍ତି ସେଥିରେ ମାଳମାଳ ସରକାରୀ କାର୍ଯ୍ୟକ୍ରମ ରହିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତି ରହିବାର ଆବଶ୍ୟକତା ରହିଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ନୁହେଁ, ଦଳ ଆଗ ବୋଲି ବିଜେଡି ଅଭିଯୋଗ କରିଛି ।

ଗୃହ ଚାଲିଛି, ଜୁଡ଼ିସିଆଲ କମ୍ପ୍ଲେକ୍ସ ଉଦଘାଟନରେ ତାଙ୍କ ନାଁ ରହିଥିଲା । ମହାମହିମ ରାଷ୍ଟ୍ରପତି ଯୋଗ ଦେଇଥିଲେ, ହେଲେ ସେ ମହାରାଷ୍ଟ୍ର ଯାଇ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ଏପରି ଦଳୀୟ କାମ କ’ଣ ଓଡ଼ିଆ ଅସ୍ମିତା ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ରାଷ୍ଟ୍ରପତି ଓଡ଼ିଆ ହେଲେ ବି ଦେଶର ମୁଖ୍ୟ ବୋଲି କଂଗ୍ରେସ ସମ୍ମାନ ଜଣାଇଛି । ସରକାରୀ ଗସ୍ତ ହୋଇଥିବାରୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହିବା କଥା । ଯଦି କିଛି ଜରୁରୀ କାମ ଥିଲା, ହେଲେ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇ ପାରିଥାନ୍ତା । ରାଷ୍ଟ୍ରପତି ଭୁବନେଶ୍ୱରରେ ଥିବାରୁ ମହାରାଷ୍ଟ୍ର ଗସ୍ତର ଦଳୀୟ କାର୍ଯ୍ୟକ୍ରମ ବାତିଲ ହୋଇ ପାରିଥାନ୍ତା । ଯାହା ସେ କଲେ ନାହିଁ । ଏହା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ । ସବୁବେଳେ ଦେଶ ଆଗ କହୁଥିବା ବିଜେପିର ପ୍ରକୃତ ଦେଶପ୍ରେମକୁ ଟାର୍ଗେଟ କରିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ସୌଜନ୍ୟତା ରକ୍ଷା କଲେନି । ବିଜେପି ବି ଏହା ଭଲ ଭାବେ ଜାଣିଛି । ହେଲେ ଏ ପ୍ରସଙ୍ଗରେ ପୁରୁଣା ସରକାରକୁ ଦାୟୀ କରି ବିତଣ୍ଡା ଯୁକ୍ତି କରିଛି ଦଳ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ସମୟରେ ନ ରହିବା ନିଷ୍ପତ୍ତି ନେଇ ଚର୍ଚ୍ଚା ଜୋର ଧରିଛି ।

ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନୂଆ । ହେଲେ ବିଧାୟକ ଓ ବିଧାନସଭା ସହ ଗଣତାନ୍ତ୍ରିକ ସୌଜନ୍ୟତା ନେଇ ପୁରୁଣା ବିଧାୟକ । ଏପରି ସ୍ଥିତିରେ ଅନେକ ଭୁଲ ନିଷ୍ପତ୍ତି ପାଇଁ ସେ ବିବାଦରେ ପଡିଲେଣି । ସେ ଗତ ବିଧାନସଭା ଚାଲିଥିବା ସମୟରେ ଗୃହ ବାହାରେ ଅଗ୍ନିବୀର ସଂରକ୍ଷଣ କଥା ଘୋଷଣା ହେଉ କି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଅନୁପସ୍ଥିତ ରହିବା ପ୍ରସଙ୍ଗ ହେଉ, ଓଡ଼ିଆ ଅସ୍ମିତାର ଏପରି କୁଠାରଘାତକୁ ରାଜ୍ୟବାସୀ ନିନ୍ଦା କରିବା ଆରମ୍ଭ କଲେଣି ।