ମହାନଦୀ ଜଳ ବିବାଦର ସମାଧାନ କରୁ ଟ୍ରିପଲ୍ ଇଞ୍ଜିନ ସରକାର

ନନ୍ଦିଘୋଷ ବ୍ୟୁରୋ: ଏବେ ନୁହେଁ ତ କେବେ ନୁହେଁ । ମହାନଦୀ ଜଳ ବିବାଦର ସମାଧାନ କରୁ ଟ୍ରିପଲ୍ ଇଞ୍ଜିନ ସରକାର । ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟ ସହ ବୈଠକ କରି ସମସ୍ୟାର ସମାଧାନ କରନ୍ତୁ । ଡବଲ ଇଞ୍ଜିନ ସରକାର ଭାଷଣ ନୁହେଁ, ବାସ୍ତବତାକୁ ଆସି ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଦାବି କରିଛି ବିଜେଡି । କଂଗ୍ରେସ ମଧ୍ୟ କହିଛି ଟ୍ରିପଲ ଇଞ୍ଜିନ ସରକାର ଯଦି ଜଳ ବିବାଦର ସମାଧାନ ନ କରିବ ତେବେ ଏହା ଆଉ କେବେ ହେବା ଆଶା କ୍ଷୀଣ । ହେଲେ ଶାସକ ବିଜେପିର ଯୁକ୍ତି, ମହାନଦୀ ଜଳ ବିବାଦ ବହୁତ ବଡ ସମସ୍ୟା ନୁହେଁ । ଅନ୍ୟପଟେ କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଟ୍ରିପଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।
ଓଡିଶା ସ୍ବାର୍ଥ ସହ ପ୍ରତାରଣା କରିଛି ବିଜେପିର ଟ୍ରିପଲ ଇଞ୍ଜିନ ସରକାର । ଛତିଶଗଡ, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନାହିଁ । ଓଡିଶାର ଜୀବନ ରେଖା ସାଜିଥିବା ମହାନଦୀ ଏବେ ଶୁଖିଲା ପଡିଛି । କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଓଡିଶାରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଯାହାକୁ ନେଇ ଟ୍ରିପଲ ଇଞ୍ଜିନ ସରକାରକୁ ଘେରିଛି ମୁଖ୍ୟ ବିରୋଧୀ ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେପି ୨୦୨୪ ନିର୍ବାଚନରେ ଚିଲେଇ ଚିଲେଇ କହୁଥିଲା ଆମକୁ ଭୋଟ ଦେଲେ ଓଡିଶାର ସବୁ ସମସ୍ୟା ଡବଲ ଇଞ୍ଜିନ ସରକାର ଶୀଘ୍ର ସମାଧାନ କରିବ । ସରକାରକୁ ବିଜେପି ଆସିଲା ପରେ ସବୁ ଭୁଲିଗଲା । ମହାନଦୀ, ପୋଲାଭରମ ଠାରୁ ଆରମ୍ଭ କରି ସବୁ ସମସ୍ୟାରେ ପଡୋଶୀ ଓଡିଶା ଉପରେ ଭାରି ପଡିଛନ୍ତି । ତେଣୁ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଆଉ ଭୂଆଁ ନବୁଲେଇ ତୁରନ୍ତୁ ଜଳ ବିବାଦର ସମାଧାନ କରୁ । ମହାନଦୀ ଜଳ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଦୁଇ ରାଜ୍ୟ ସହ ବୈଠକ କରି ସମାଧାନର ବାଟ କାଢନ୍ତୁ ବୋଲି ପିସିସି ସଭାପତି ଭକ୍ତ ଦାସ ଦାବି କରିଛନ୍ତି ।
ମହାନଦୀ ଜଳ ବିବାଦ ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ ଗଠନ କରାଗଲା । ଟ୍ରିବ୍ୟୁନାଲର କାର୍ଯକାଳ ୨୦୨୭ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଓଡିଶାର ହକ ପାଇଁ ବିଜେଡି ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଛି । ଓଡିଶା, ଛତିଶଗଡ ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ମହାନଦୀ ଜଳ ବିବାଦର ଏଯାଏଁ ସମାଧାନ ହୋଇନାହିଁ। ୧୧ ମାସର ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଇବା କଥା ତାହା ଦେଖାଉ ନାହାନ୍ତି । ଛତିଶଗଡ଼ ପାଣି ଅଟକାଉ ଥିବାରୁ ରାଜ୍ୟରେ ଚାଷୀମାନେ ହଇରାଣ ହେବା ସହ ମହାନଦୀ ମରୁଭୂମିରେ ପରିଣତ ହୋଇଛି । ମହାନଦୀ ଜଳ ବିବାଦରେ ଟ୍ରିପଲ ଇଞ୍ଜିନ ସରକାରର ବିଫଳତା ଜଳ ଜଳ କରି ସାମ୍ନାକୁ ଆସିବା ପରେ ଶାସକ ବିଜେପି ବିତଣ୍ଡା ଯୁକ୍ତି ବାଢିଛି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ଜଳ ବିବାଦ ପ୍ରତି ସରକାର ସଚେତନ ଅଛନ୍ତି । ଜଳ ବିବାଦ କୁଆଡେ ଏତେ ବଡ ବିବାଦ ନୁହେଁ ବୋଲି ସେ ବେପରୁଆ ମନ୍ତବ୍ୟ ଦେଇଛନ୍ତି ।
ମହାନଦୀ ଶୁଖିଲା ପଡିଯିବାରୁ ଓଡିଶାର ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଲାଣି । ଚାଷ ମଧ୍ୟ ପ୍ରଭାବିତ ହେବାରେ ଲାଗିଲାଣି । ଆଗକୁ ଏ ସମସ୍ୟା ଦ୍ବିଗୁଣିତ ହେବ । ବେଳ ଥାଉ ଥାଉ ଟ୍ରିପଲ ଇଞ୍ଜିନ ସରକାର ସମସ୍ୟାର ସମାଧାନ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।