ଓଡ଼ିଶାରେ ଶିକ୍ଷାର ରାଜନୀତିକରଣ କରିଛି ବିଜେପି, ଶିକ୍ଷକଙ୍କୁ ଦଳୀୟ ସଦସ୍ୟ କରିବାକୁ ବିରୋଧ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷାର ରାଜନୀତିକରଣ ଆରମ୍ଭ କରିଛି ବିଜେପି । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ୫୦ ହଜାର ଶିକ୍ଷକଙ୍କୁ ସାମିଲ କରିବାକୁ ଯୋଜନା କରିଛି ଦଳ । ଶିକ୍ଷକଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ କରିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେପିକୁ ନିର୍ବାଚନ ଜିତିବା ନିଶା ଲାଗିଥିବାରୁ ନୀତି ନୈତିକତା ଭୁଲିଯାଇ ଦଳ ଏପରି ରାଜନୀତିକୁ ଆପଣାଇବାକୁ ଯାଉଛି ବୋଲି ଉଭୟ ଦଳ ସମାଲୋଚନା କରି କହିଛନ୍ତି ।

ଗୁରୁଙ୍କୁ ଦଳୀୟ କର୍ମୀ ସଜାଇବ ବିଜେପି । ବିଜେପିକୁ ନିର୍ବାଚନୀ ନିଶା ଏମିତି ଘାରିଛି ଯେ ଶିକ୍ଷାଭଳି ପବିତ୍ର ବ୍ୟବସ୍ଥାକୁ କଳୁଷିତ କରିବାକୁ ଆରମ୍ଭ କରିଛି ଷଡ଼ଯନ୍ତ୍ର । ପ୍ରାଥମିକତା ସଦସ୍ୟତା ନାଁରେ ଗୁରୁ ପରି ପବିତ୍ର ଶବ୍ଦକୁ ରାଜନୀତିର ପଶାପାଲି ମଧ୍ୟକୁ ଟାଣିଛି ଦଳ । ଯାହାକୁ ନେଇ ଉଠିଛି ପ୍ରତିବାଦର ସ୍ବର । ବିଜେପିର ନିଷ୍ପତ୍ତି ଘୋର ପରିତାପର ବିଷୟ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଶିକ୍ଷକଙ୍କ ଦାୟିତ୍ଵ ପିଲାଙ୍କୁ ପାଠ ପଢାଇବା । ନୀତି ଓ ନୈତିକତାର ପ୍ରଶ୍ନ ଯେଉଁଠି ଅଛି, ସେଠି ଯଦି ଆମେ ସେମାନଙ୍କୁ ରାଜନୈତିକ ଦଳର ସଦସ୍ୟ ଭାବେ ଗ୍ରହଣ କରିବା ତା’ହେଲେ ନୀତି ଓ ନୈତିକତାରେ ବ୍ୟାଘାତ ହେବ । ବିଜେପି ନିର୍ବାଚନ ଜିତିବା ନିଶାରେ ଅଛି । ଯେହେତୁ ଶିକ୍ଷକମାନେ ନିର୍ବାଚନ ପରିଚାଳନା କରନ୍ତି ସେଥିପାଇଁ ନିର୍ବାଚନକୁ ଏକତରଫା କରିବାକୁ ଆଜିଠୁ ବିଧିବଦ୍ଧ ଯୋଜନା କରିଛି ଦଳ । ଏହା ଫଳରେ ଶିକ୍ଷାରେ ଅବନତି ଘଟିବ ଓ ନିର୍ବାଚନରେ ନିରପେକ୍ଷତା ରହିବନି ବୋଲି ଅରୁଣ ଆଶଙ୍କା ପ୍ରକାଶ କରିଛନ୍ତି । ଦେଶରେ ନିରପେକ୍ଷତାକୁ ହଟାଇବାକୁ ଏହା ବିଜେପିର ବଡ଼ ଚାଲ ବୋଲି ବିଜେଡି ଅଭିଯୋଗ କରିଛି । ଓଡ଼ିଶାର ଜନ ସମାଜ ଓ ଶିକ୍ଷକ ସମାଜ ଏହାକୁ କେବେ ଗ୍ରହଣ କରିବେନି ବୋଲି ଦଳ କହିଛି ।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟର ୫୦ ହଜାର ଶିକ୍ଷକଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ ପାଇଁ ବିଜେପିର ଯୋଜନାକୁ ନାପସନ୍ଦ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଏହା କେବେ ଗ୍ରହଣୀୟ ନୁହେଁ । ଶିକ୍ଷକମାନେ ସ୍ଵତନ୍ତ୍ର । ତାଙ୍କୁ ରାଜନୀତିରେ ସାମିଲ କରାଯାଇ ନପାରେ । ଶିକ୍ଷକଙ୍କୁ ବିଜେପି ସଦସ୍ୟ କରିବା ନେଇ ବିରୋଧୀ ଘେରିବା ପରେ ଜବାବ ରଖିଛି ବିଜେପି । ବିଜେପିର ଯୁକ୍ତି ହେଉଛି ବିରୋଧୀ ନିଷ୍ପତ୍ତିକୁ ଠିକ୍ ସେ ବୁଝି ନାହାଁନ୍ତି । ଅଣଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷକମାନଙ୍କୁ ସଦସ୍ୟ କରାଯିବ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

କେବଳ ରାଜନୈତିକ ଦଳ ନୁହେଁ, ଖୋଦ ଶିକ୍ଷକ ସଂଘ ମଧ୍ୟ ବିଜେପିର ଏପରି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି । ଶିକ୍ଷକଙ୍କୁ ବିଜେପି ନିଜ ଦଳର ପ୍ରାଥମିକ ସଦସ୍ୟ କରିବା ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛି ପ୍ରାଥମିକ ଶିକ୍ଷକ ସଂଘ । ଶିକ୍ଷକମାନେ ରାଜନୀତିରୁ ଦୂରଇ ରହିବା ଉଚିତ ବୋଲି ସଂଘ ପରାମର୍ଶ ଦେଇଛି ।

ଗତ ୧୬ ତାରିଖରେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ, ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ଶିକ୍ଷକ ପ୍ରକୋଷ୍ଠ ବୈଠକରେ ଶିକ୍ଷକଙ୍କୁ ପ୍ରାଥମିକ ସଦସ୍ୟ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଯାହାକୁ ନେଇ ବିଜେପିକୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ।