ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ଜୋରଦାର ବିରୋଧ: ବିଧାନସଭାରେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ କଡ଼ା ପ୍ରତିବାଦ

ଭୁବେନଶ୍ବର: ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଥିଲା । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ଭାବେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟେଗାଳ ହେବାରୁ ବାଚସ୍ପତି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁତଲବୀ ରଖିଥିଲେ ।
ନାରୀ ସମାଜକୁ ନ୍ୟାୟ ନ ମିଳିବ ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ, ରାଜ୍ୟରେ ଡବଲ କରପସନ ହେଉଛି, ଡବଲ କ୍ରାଇମ ହେଉଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଥାସମ୍ଭବ ଉତ୍ତର ରଖନ୍ତୁ ବୋଲି କଂଗ୍ରେସ କହିଛି । ସ୍ବଚ୍ଛ, ନିର୍ମଳ ଶାସନ କରିବ ବୋଲି ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିଲା, ମାତ୍ର ଶାସନକୁ ଆସିବା ପରେ ସରକାର ସେ କ୍ଷେତ୍ରରେ ବିଫଳ ହୋଇଛି କଂଗ୍ରେସ ବିଧାୟକମାନେ କହିଥିଲେ ।
ସେହିପରି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି ବିଜେଡି । ସମ୍ବଲପୁରରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ଅପମାନିତ କରାଯାଇଥିଲା । ଏହାକୁ ବିଜେଡି ବରଦାସ୍ତ କରୁନାହିଁ । ଓଡ଼ିଶାକୁ ଭାଗ ଭାଗ କରିବା ପାଇଁ ବିଜେପି ବିଧାୟକ ମନ୍ତବ୍ୟ ଦେବା ନିହାତି ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଜେଡି ବିଧାୟକ ରାଜା ସ୍ବାଇଁ । ସେହିପରି ବିଜେପି ସରକାରର ବିଭିନ୍ନ ଅପାରଗତାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ବର୍ଷିଥିଲେ । ସେହିପରି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ବିଜେପି ସରକାର ସବୁବେଳେ ଓଡ଼ିଆ ଅସ୍ମିତାକୁ ପଦାଘାତ କରୁଛି ବୋଲି କହିଥିଲେ ବିଜେଡି ବିଧାୟକ ଶାରଦା ଜେନା ।