କରୋନା ମହାମାରୀକୁ ନେଇ ବିଜେପି ରାଜନୀତି କରୁଛି: ବିଜେଡି  

BJD Alleges BJP Doing Politics Over Corona Pandemic

ଭୁବନେଶ୍ୱର: ଭୟାବହ କରୋନା ମହାମାରୀର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି । ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ବିଜେପି ପ୍ରେସ୍‍ ବିବୃତ୍ତିର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ଓ ଦେଶର ଦୁଇ ସର୍ବୋଚ୍ଚ ନେତା ଏକମତ ଥିବାବେଳେ ରାଜ୍ୟ ବିଜେପି ନେତାମାନେ କିନ୍ତୁ ଏହାକୁ ନେଇ ରାଜନୀତି କରିବା ସେମାନଙ୍କ ପ୍ରେସ୍‍ ବିବୃତିରୁ ବାରି ହୋଇ ପଡୁଛି । ଏଭଳି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କରୋନା ଲଢେଇରେ ସାମିଲ ହେବା ପରିବର୍ତ୍ତେ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରାଜ୍ୟ ବିଜେପି ନେତାମାନେ ସରକାରଙ୍କ ସମାଲୋଚନା ବଦଳରେ ଯଦି ଯୁକ୍ତିସଙ୍ଗତ ପରାମର୍ଶ ଓ ସମର୍ଥନର ହାତ ବଢେଇ ଥାନ୍ତେ ତେବେ ଓଡ଼ିଶାବାସୀ ଖୁସି ହୋଇଥାନ୍ତେ । ହେଲେ ତାହା ନକରି ନିଜର ରାଜନୈତିକ ଅସ୍ତିତ୍ୱ ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ଓଡିଶାବାସୀ ରାଜ୍ୟ ବିଜେପି ନେତାମାନଙ୍କ ମନୋଭାବ ସଂକ୍ରାନ୍ତରେ ଭଲଭାବେ ଅବଗତ ଓ ସେମାନଙ୍କର ଏଭଳି ହୀନ ରାଜନୈତିକ ମନ୍ତବ୍ୟକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

Leave a Reply