ଆସନ୍ତାକାଲି ଆସିବ ନୂଆପଡ଼ା ଉପନିର୍ବାଚନର ରେଜଲ୍ଟ । ତାପୂର୍ବରୁ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନୂଆପଡ଼ାରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇନି । ଭୋଟ ସରିବା ପରେ ପ୍ରଥମେ କୁହାଗଲା ୭୫ ପ୍ରତିଶତ ପୋଲିଂ ହୋଇଛି । ତାପରେ ବାରମ୍ବାର ପ୍ରତିଶତ ସଂଖ୍ୟା ବଦଳି ଶେଷରେ କୁହାଗଲା ୮୩.୪୫ ପ୍ରତିଶତ ପୋଲିଂ ହୋଇଛି । ତାପରେ କୁହାଗଲା ୪୧ଟି ବୁଥରେ ୯୧ ପ୍ରତିଶତ ପୋଲିଂ ହୋଇଛି । ସୁନାବେଡା ଅଭୟାରଣ୍ୟ ଭିତରେ କିପରି ୯୧ ପ୍ରତିଶତ ପୋଲିଂ ହେଲା । ଯାହାକୁ ବହୁତ ଭଲ ପୋଲିଂ କହିବା ସହିତ ଏହାକୁ ଯେଉଁ ଢଙ୍ଗରେ କୁହାଗଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ବିଜେଡି । ବିଜେଡି ଅଭିଯୋଗ କରି କହିଛି, ନୂଆପଡ଼ାରେ ଜନାଦେଶ ହୋଇନି ଯନ୍ତ୍ରାଦେଶ ହୋଇଛି । ପୂର୍ବରୁ ଏଠାରେ ହୋଇଥିବା ସମସ୍ତ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ କେବେ ଏତେ ପରିମାଣର ପୋଲିଂ ହୋଇନି । ତେଣୁ ୯୧ ପ୍ରତିଶତ ପୋଲିଂକୁ ନେଇ ବିଜେଡି ସନ୍ଦେହ ପ୍ରକାଶ କରିବା ସହିତ ଏ ନେଇ ନିର୍ବାଚନ କମିଶନଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଛି ।
ଏଥିଲାଗି ସରକାରୀ କଳକୁ ଦାୟୀ କରିଛି ବିଜେଡି । ନିର୍ବାଚନ ଆଚରଣ ବିଧିର ଧଜ୍ଜିଆ ଉଡିବା ସହିତ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ପ୍ରକାର କାରସାଦି କରାଯାଇଥିଲା ବୋଲି ବିଜେଡି କହିଛି । ଟ୍ରକରେ ଇଭିଏମ ମେସିନ ଆଣିବା ହେଉ କି କାରରେ ମେସିନ ଲଦି ବୁଥ ଆଗରେ ଠିଆ କରିବା । ଉପନିର୍ବାଚନ ଜିତିବା ଲାଗି ବିଜେପି ସରକାରୀ କଳକୁ ହାତବାରିସୀ କରିଥିଲା । ଅନେକ ପଞ୍ଚାୟତର ୯୪ ପ୍ରତିଶତ ଭୋଟିଂ ହୋଇଛି । ବାରମ୍ବାର ଭୋଟିଂ ପ୍ରତିଶତକୁ ବଦଳାଯାଇ କୁହାଯାଇଛି । ୮୦ରୁ ୧୦୦ ବୁଥରେ ୮୦ରୁ ଅଧିକ ପ୍ରତିଶତ ଭୋଟିଂ ହୋଇଛି ବୋଲି କୁହାଯାଇଛି । ୮୦-୯୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଥିବା ବୁଥର ସିସିଟିଭି ଫୁଟେଜ ଦେବାକୁ ବିଜେଡି ଦାବି କରିଛି । ସତସାହସ ଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସିସିଟିଭି ଫୁଟେଜ ଦେବାକୁ ବିଜେଡି ପ୍ରେସମିଟ କରି ଦାବି କରିଛି ।

