ଆକ୍ସନ୍‌ ମୋଡ୍‌ରେ ବିଜେଡି: ଆଗ ଓ୍ବାର୍ଣ୍ଣିଂ, ଏବେ ଆକ୍ସନ୍

ଭୁବନେଶ୍ବର: ଆଗ ଓ୍ବାର୍ଣ୍ଣିଂ, ଏବେ ଆକ୍ସନ୍ । ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର ନିର୍ବାଚନ ଥିବା ବେଳେ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କରାଯାଉଛି । ଏବେଠାରୁ ନସୁଧୁରିଲେ, ଆଗକୁ ଆହୁରି ଲମ୍ବିବ କାର୍ଯ୍ୟାନୁଷ୍ଠାନ ତାଲିକା ।

ବର୍ତ୍ତିବେନି ବିଦ୍ରୋହୀ । ଦଳ ବିରୋଧୀ କାମ କଲେ ହେବେ ବିଦା । ଆକ୍ସନ୍‌ ମୋଡ୍‌ରେ ବିଜେଡି । କେନ୍ଦୁଝରର ରବୀନ୍ଦ୍ର ଦାସ ହୁଅନ୍ତୁ କି ଆଠମଲ୍ଲିକର ନିହାର ହୋତା ଓ ସନ୍ତୋଷ ହୋତା । ପୌର ନିର୍ବାଚନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟର ପ୍ରମାଣ ମିଳିବା ପରେ, ବିଜେଡିରୁ ନିଲମ୍ବନ ହୋଇଛନ୍ତି । ନିସ୍ତାର ପାଇନାହାନ୍ତି ଛାତ୍ର ବିଜେଡି ନେତା। ବିଜେଡି ଟିକେଟ ନପାଇ କିଛି ସ୍ବାଧୀନ ଭାବେ ନାମାଙ୍କନ କରିଥିଲେ । ୧୪ ମାର୍ଚ୍ଚ ସୁଦ୍ଧା ନାମାଙ୍କନ ପ୍ରତ୍ୟାହର ନକରି ବିଦ୍ରୋହୀ ପ୍ରାର୍ଥୀ ଭାବେ ବିଜେଡି ବିରୋଧରେ ଲଢୁଛନ୍ତି । ଆଉ କିଛି ନିଜେ ନଲଢି ବିଦ୍ରୋହୀ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । ବିଭିନ୍ନ ଓ୍ବାର୍ଡରେ ଥିବା ନବୀନ ପ୍ରେମୀ ଯେପରି ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ଭୋଟ ସମୟରେ ଦ୍ବନ୍ଦ୍ବରେ ନ ପଡ଼ିବେ, ସେଥିପାଇଁ ବିଦ୍ରୋହୀଙ୍କୁ ଦଳରୁ ଦୂରେଇ ଦିଆଯାଉଛି ।

ସୂଚନାଯୋଗ୍ୟ, ରାଜନୈତିକ ଦଳମାନଙ୍କ ନିଜସ୍ବ ଆଇନ ଥାଏ । ଯାହାକୁ ଦଳ ଭିତରେ ଓ ବାହାରେ ଥିବା ନେତା ମାନିବା ଉଚିତ୍ । ଏହାଦ୍ବାରା ଦଳରେ ଅନୁଶାସନ କାଏମ ରହେ । ଏଭଳି ଶୃଙ୍ଖଳା ଯୋଗୁଁ ହିଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ଜନତା ଦଳ କ୍ଷମତାରେ ରହିଛି । ଦଳ ବିରୋଧୀ ଓ ଜନବିରୋଧୀ ନେତାଙ୍କୁ ନିଜଠାରୁ ଦୂରେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ସକରାତ୍ମକ ରାଜନୀତିର ପ୍ରତୀକ । ପଞ୍ଚାୟତ ସଫଳତା ପରେ ପୌରରେ ବି ନକରାତ୍ମକ ରାଜନୀତିକୁ ମାତ୍ ଦେଇ ଶୃଙ୍ଖଳା ସହ ନିର୍ବାଚନ ଲଢିବାକୁ ବିଜେଡି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ଦଳୀୟ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୦୨ ଜଣ ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ସେହିପରି ୫୩୯ କାଉନସିଲର ଓ କର୍ପୋରେଟର ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢିବାରୁ ଓହରି ଯାଇଛନ୍ତି । ଯେହେତୁ ବିଜେଡିରେ ବିଜୟ ସମ୍ଭାବନା ଅଧିକ, ଦଳୀୟ ଟିକେଟ ଆଶାରେ ଅନେକ ରହିଥିଲେ। କିଛି ଶୃଙ୍ଖଳିତ କର୍ମୀ ଭାବେ ନାମାଙ୍କନ ପ୍ରତ୍ୟାହାର କଲେ ତ କିଛି ମାନିଲେନି । ଦଳର ଅନୁଶାସନ ମାନି ଅନେକ ନେତା ମର୍ଯ୍ୟାଦା ପାଇଥିବା ବେଳେ, ଶୃଙ୍ଖଳା ଭଙ୍ଗକାରୀଙ୍କ ପାଇଁ ବିଜେଡିର ଦ୍ବାର ବନ୍ଦ ହେଉଛି ।