ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା: ୧୧ ଘଣ୍ଟାର ମାରାଥନ ପଚରାଉଚୁରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ନେଇ ପୋଲିସର ତନାଘନା ଜାରି ରହିଛି  । ଆଜି ୧୧ ଘଣ୍ଟାର ମାରାଥନ ପଚରାଉଚୁରା ପରେ କ୍ୟାମ୍ପସରୁ ବାହାରିଛି ପୋଲିସ । ରାତି ୯ ଟା ରେ ହଷ୍ଟେଲ ରୁ ବାହାରିଲା ପୋଲିସ । ୬୨ ଜଣଙ୍କୁ ପଚରାଉଚୁରା କରିବା ସହ ପୋଲିସ ବୟାନ ରେକର୍ଡ଼ କରିଛି । ୬୨ ଜଣକ ମଧ୍ୟରେ ଅଛନ୍ତି ରୁମମେଟ, ସିନିୟର ଛାତ୍ରୀ, ସୁପରିଟେଣ୍ଡଣ୍ଟ , ୱାଡେନ, ଆସିଷ୍ଟାଣ୍ଟ ୱାଡେନ ଓ ଫ୍ଲୋର ଇନ ଚାର୍ଜ । ବାକି ସମସ୍ତଙ୍କୁ କାଲି ପୋଲିସ ପଚରା ଉଚୁରା କରିବ  । ହଷ୍ଟେଲରେ ୧୩୪ ଜଣ ସିନିୟର ଛାତ୍ରୀ ଅଛନ୍ତି । ଆଜିର ବୟାନର ରିପୋର୍ଟକୁ ନେଇ ଅନାଲିସିସ କରିବ ପୋଲିସ । ରୁଚିକା ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରେଗିଂ କରୁଥିବା ନେଇ ସୁସାଇଡ଼ ନୋଟରେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଛାତ୍ରୀ ନିବାସରୁ ରୁଚିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏଥିସହିତ ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା । ଏହି ସୁଇସାଇଡ ନୋଟରେ ତାଙ୍କୁ ତିନିଜଣ ସିନିୟର ନିର୍ଯାତନା ଦେଉଥିବା ସେ ଉଲ୍ଲେଖ କରିଥିଲେ  । ତେବେ କେଉଁ ତିନିଜଣ ସିନିୟରଙ୍କ ପାଇଁ ଅତିଷ୍ଟ ହୋଇ ରୁଚିକା ଆତ୍ମହତ୍ୟା କଲେ ସେମାନଙ୍କୁ ପୋଲିସ ଏବେ ଖୋଜୁଛି  । ପରିବାର ଲୋକେ ମଧ୍ୟ ନ୍ୟାୟ ପାଇଁ ଦାବି କରିଛନ୍ତି  ।