ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା; ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୦ ଦିନ ବିତିଲାଣି । କିନ୍ତୁ ଏପର୍ଯ୍ୟନ୍ତ ସସପେନ୍ସ ଉପରୁ ହଟୁନି ପରଦା । ହଷ୍ଟେଲ ଯାଇ ଜଣକ ପରେ ଜଣଙ୍କୁ ପୋଲିସର ସ୍ୱତନ୍ତ୍ର ଟିମ୍ ପଚରାଉଚରା କରିଛି । ସତ ଉପରୁ ପରଦା ହଟାଇବା ପାଇଁ ମନସ୍ତତ୍ତ୍ୱବିତ୍ ମଧ୍ୟ ଲାଗିଛନ୍ତି । ହେଲେ କିଏ ସେହି ଅଭିଯୁକ୍ତ, ସେ ବିଷୟରେ ଟେର ପାଉନି ପୋଲିସ । ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଧାରଣାରେ ବସିଥିବା ରୁଚିକାଙ୍କ ମାଆଙ୍କୁ ଉଠାଇ ନେଇଛି ପୋଲିସ । କେବଳ ସେତିକି ନୁହେଁ, ଧାରଣାସ୍ଥଳରେ ଥିବା ଟେଣ୍ଟକୁ ମଧ୍ୟ ପୋଲିସ ଭାଙ୍ଗି ଦେଇଛି । ଘଟଣାକୁ ୧୦ ଦିନ ବିତିଥିବା ବେଳେ, ପୋଲିସ ନ୍ୟାୟ ଦେବା ବିଫଳ ହୋଇଥିବା କହିଛନ୍ତି ରୁଚିକାଙ୍କ ମା’ ।

ସେପଟେ କଲେଜରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରାଯାଉଥିବା ଅଭିଯୋଗ ଆଣି ବଡଗଡ଼ ଥାନା ଘେରାଉ କରିଛନ୍ତି ଛାତ୍ରଛାତ୍ରୀ । କଲେଜରେ ପାଠପଢାକୁ ସ୍ୱାଭାବିକ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ରୁଚିକା ଆତ୍ମହତ୍ୟା ଘଟଣାରେ ଯିଏ ଅଭିଯୁକ୍ତ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଘଟଣାରେ ରାଜନୈତିକ ରଙ୍ଗ ନଦେବାକୁ ଦାବି ହୋଇଛି । ସେହିଭଳି ଲେଡିଜ ବାଥରୁମରେ କ୍ୟାମେରା ଲାଗିବା, କଲେଜରେ ସେକ୍ସ ରାକେଟ ଚାଲିବା ଭଳି ବିଭାନ୍ତକାରୀ ମନ୍ତବ୍ୟ ଦେଉଥିବା ଲୋକଙ୍କ ବିରୋଧରେ ଏତଲା ଦିଆଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।