୨୦ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା କିଏ ଏହି ବିଟ୍ଟା ?

1 min read

ନୂଆଦିଲ୍ଲୀ: ‘ଦି କାଶ୍ମୀର ଫାଇଲ୍ସ’ ରିଲିଜ ହେବା ପରେ ସାରା ଦୁନିଆ ଜାଣିଛି କେମିତି ପୃଥିବୀର ସ୍ବର୍ଗ କୁହାଯାଉଥିବା କାଶ୍ମୀର ରକ୍ତରେ ରଞ୍ଜିତ ହୋଇଥିଲା । କାଶ୍ମୀରୀ ପଣ୍ଡିତଙ୍କୁ ନିର୍ଯାତନା ଦେଇ ଜମ୍ମୁ ଓ କାଶ୍ମୀରରୁ ବିତାଡିତ ଓ ହତ୍ୟା କରାଯିବା ତ ସମସ୍ତେ ଜାଣିଛନ୍ତି । ହେଲେ, କେମିତି ଥିଲା ସେହି ନରସିଂହାର ହୁଏତ ବହୁତ କମ ଲୋକ ଜାଣନ୍ତି । ହେଲେ ଏବେ ରିଲିଜ ହୋଇଥିବା ‘ଦି କାଶ୍ମୀର ଫାଇଲ୍ସ’ ଏହାକୁ ପରଦା ଉପରକୁ ଆଣି ସେହି ଅଜଣା କଥା ଓ ବ୍ୟଥାକୁ ତାଜା କରି ଦେଇଛି ।

ଯିଏ ଏହି ଫିଲ୍ମଟି ଦେଖୁଛି, ଆଖିରୁ ଲୁହ ଗଡାଉଛି । ଏହାରି ଭିତରେ ମନେ ପଡୁଛି କାଶ୍ମୀରୀ ପଣ୍ଡିତଙ୍କ ରକ୍ତରେ ହୋଲି ଖେଳିଥିବା ଫାରୁକ ଅହମ୍ମଦ ଡାର ଓରଫ ବିଟ୍ଟା କରାଟେ । ଯିଏ ୨୦ ଜଣ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିଲା । ସେ ସମୟରେ ନିଜ ମାଆ ଓ ଭାଇ ବି ତା’ ସମ୍ମୁଖକୁ ଆସିଥିଲେ, ସେମାନଙ୍କୁ ବି ହତ୍ୟା କରିବାକୁ ପଛାଇ ନଥାନ୍ତି ବୋଲି କହିଥିଲା । ଏହାସହ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ସହ ପାକିସ୍ତାନ ସମ୍ପର୍କକୁ ନେଇ ମଧ୍ୟ ବହୁତ ଗୁପ୍ତ କଥା ପଦାକୁ ଆଣିଥିଲା ।

ଆଜି ଯେତେବେଳେ ‘ଦି କାଶ୍ମୀରୀ ଫାଇଲ୍ସ’ ସେହି ରକ୍ତ ରଞ୍ଜିତ ଘଟଣାକୁ ତାଜା କରି ଦେଇଛି, ଆସନ୍ତୁ ଜାଣିବା ସେହି ବିଟ୍ଟା କରାଟେ ସମ୍ପର୍କରେ ଯିଏ ନିଜେ ମାନିଥିଲା ୨୦ କାଶ୍ମୀରୀ ପଣ୍ଡିତଙ୍କ ମୁଣ୍ଡ ଓ ଛାତିକୁ ଗୁଳି ମାରି କେମିତି କରିଥିଲା ଲହୁଲୁହାଣ ।

୧୯୯୧ ମସିହାରେ ଗିରଫ ହୋଇ ଜେଲରେ ଥିବା ବେଳେ ବିଟ୍ଟା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବଖାଣିଥିଲା ତା’ କୁକର୍ମ । ଆସନ୍ତୁ ଜାଣିବା ସାକ୍ଷାତକାରରେ କ’ଣ କହିଥିଲା ବୁଟ୍ଟା ।

ସତିଶ କୁମାର ଟିକ୍କୁଙ୍କ ହତ୍ୟାରୁ ଆରମ୍ଭ କରିଥିଲା ନରସିଂହାର

୨୨ ବର୍ଷିୟ କାଶ୍ମୀରୀ ପଣ୍ଡିତ ସତିଶ କୁମାର ଟିକ୍କୁଙ୍କୁ ପ୍ରଥମେ ହତ୍ୟା କରିଥିଲା ଜମ୍ମୁ- କାଶ୍ମୀର ଲିବରେଶନ ଫ୍ରଣ୍ଟ ନେତା ବିଟ୍ଟୁ । ସତିଶଙ୍କୁ କାହିଁକି ମାରିଲ ପ୍ରଶ୍ନର ଉତ୍ତରରେ ବିଟ୍ଟା କହିଥିଲା, ‘ହୁଏତ ସେ ଆରଏସଏସ ସଦସ୍ୟ ଥିଲା ।’ କାଶ୍ମୀରୀ ପଣ୍ଡିତଙ୍କ ମୁଣ୍ଡକୁ କିମ୍ବା ଛାତିକୁ ଗୁଳି ମାରି ସେ ହତ୍ୟା କରୁଥିଲା ବିଟ୍ଟା । ସେ ସମୟରେ ତା’ ମାଆ କି ଭାଇ ବି ଆଗକୁ ଆସିଥିଲେ, ସେମାନଙ୍କୁ ବି ହତ୍ୟା କରିବାକୁ ପଛାଇ ନଥାନ୍ତା ବୋଲି କହିଥିଲା ।

ପାକିସ୍ତାନରେ ନେଇଥିଲା ଟ୍ରେନିଂ

ପାକିସ୍ତାନରେ ଟ୍ରେନିଂ ନେଇଥିବା ଏହି ସାକ୍ଷାତକାର ବେଳେ ମାନିଥିଲା ବିଟ୍ଟା । କେମିତି ପାକିସ୍ତାନ ଯାଇଥିଲା ? ସେଠାରୁ ଫେରି କେମିତି ଆତଙ୍କବାଦୀ ବନିଥିଲା, ତାହା ଗୋଟି ଗୋଟି ବର୍ଣ୍ଣନା କରିଥିଲା । ସ୍ଥାନୀୟ ପ୍ରଶାସନ କାଶ୍ମୀର ଲୋକଙ୍କ ଉପରେ କରୁଥିବା ଅତ୍ୟାଚାର ସହି ନପାରି ସେ ଆତଙ୍କବାଦୀ ହେବାକୁ ମନସ୍ଥ କରିଥିବା ସାକ୍ଷାତକାରରେ କହିଥିଲା । ସେ ସମୟରେ ତାକୁ ମାତ୍ର ୨୦ରୁ ୨୧ ବର୍ଷ ହୋଇଥିଲା । କାଶ୍ମୀରୀ ପଣ୍ଡିତଙ୍କୁ ମାରିବାକୁ ସେ ସାଧାରଣ ପିସ୍ତଲ ଓ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବାକୁ ଏକେ-୪୭ ବ୍ୟବହାର କରୁଥିଲା ।

କିଏ ଏହି ବିଟ୍ଟା କରାଟେ ?

ବିଚ୍ଛିନ୍ନତାବାଦୀ ନେତା ବିଟ୍ଟା କରାଟେ କାଶ୍ମୀରର ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ଓ ଆତଙ୍କବାଦରେ ସାମିଲ ହେବା ଅଭିଯୋଗରେ ଜେଲ୍ ଯାଇଥିଲା । ବିଟ୍ଟା ୧୯ରୁ ଅଧିକ ଆତଙ୍କବାଦ ମାମଲାରେ ସମ୍ପୃକ୍ତ ଥିଲା । ୨୦୦୮ ଅମରନାଥ ବିବାଦ ସମୟରେ ମଧ୍ୟ ଗିରଫ ହୋଇଥିଲା ।

ମାର୍ସଲ କାର୍ଟରେ ଟ୍ରେଣ୍ଡ ଥିଲା ବିଟ୍ଟା । ଏଥିପାଇଁ ତା’ ନାଁ ଶେଷରେ ଲୋକେ କରାଟେ ଲଗାଉଥିଲେ । ୧୬ ବର୍ଷ ଜେଲରେ ରହିବା ପରେ ୨୦୦୬ରେ ଟାଡା ଅଦାଲତ ତାକୁ ଜାମିନରେ ଛାଡିଥିଲେ । ବିଟ୍ଟାର ସଂଗଠନ ୧୯୯୪ରେ ଏକତରଫା ଅସ୍ତ୍ରବିରତି ଘୋଷଣା କରିବା ସହ ଅହିଂସା ମାଧ୍ୟମରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲା ।