କିଡନୀ ଦାନ କରି ଅମର ହୋଇଗଲେ ବିଶ୍ବଜିତ ; ୨ଜଣଙ୍କ ଜୀବନ ବଞ୍ଚାଇଦେଲେ

ଅନୁଗୁଳ: ମୃତ୍ୟୁ ପରେବି ଅମର । ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ ଯୁବକ । ଆଖି ବୁଜିବା ପରେ ଅନ୍ୟ କାହା ଘରେ ଫୁଟାଇଲେ ହସ । ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ଜିଲ୍ଲାର ବିଶ୍ବଜିତ ଦାସ । ଗତ ୬ ଦିନ ତଳେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଡାକ୍ତର ତାଙ୍କ ବ୍ରେନ୍ ଡେଡ ଘୋଷଣା କରିଥିଲେ । ପରେ ତାଙ୍କ ପରିବାର ଲୋକଙ୍କ ସହମତିରେ ଦୁଇଟି ଯାକ କିଡନୀ କଢାଯାଇଥିଲା । ଗୋଟିଏ ସେହି ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରିଯାଇଥିବା ବେଳେ ଅନ୍ୟଟି କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା ।
ଏସସିବି ମେଡିକାଲରେ ଜଗତସିଂହପୁର ଅଞ୍ଚଳର ସୁନିଲ୍ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ଗୋଟିଏ କିଡନୀ ସଫଳ ପ୍ରତିରୋପଣ କରାଯାଇଅଛି । ସୁନିଲଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫ ବର୍ଷ ହେଲା ଡାଏଲେସିସ ଚିକିତ୍ସା କରାଯାଉଥିଲା । ଏସସିବି ମେଡିକାଲର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗ ସହ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ସହଯୋଗରେ ଏହି ସଫଳ ପ୍ରତିରୋପଣ କରାଯାଇଅଛି। ପୁଅର ମୃତ୍ୟୁରେ ଆଖିରୁ ଲୁହ ଶୁଖୁନାହିଁ ସିନା, ହେଲେ ବାପାଙ୍କ ମନରେ ପୁଅ ପାଇଁ ଗର୍ବ । ପୁଅ ସିନା ଚାଲିଗଲା ହେଲେ ଅଙ୍ଗଦାନ କରି ୨ଜଣଙ୍କୁ ଜୀବନ ବଞ୍ଚାଇ ଦେଇଗଲା । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।