ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ, ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଅପରାଧୀଙ୍କ ଜନ୍ମଦିନରେ ଥାନା ପରିସରରେ କେକ୍ କାଟୁଛନ୍ତି ଥାନାଧିକାରୀ। ଯାହା ବିରୋଧରେ ଅପହରଣ, ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଛି ତାର ଜନ୍ମଦିନରେ ଥାନାଧିକାରୀ କେକ୍ କାଟୁଛନ୍ତି। ପାରାଦୀପ ଆଦର୍ଶ ଥାନାର ଏ ଦୃଶ୍ୟ। କେକ କାଟି ଅଭିୁଯୁକ୍ତକୁ ଖୁଆଇ ଦେଉଛନ୍ତି ଥାନାଧିକାରୀ କାବୁଲି ବାରିକ । ପୋଲିସ ଷ୍ଟେସନରେ ଅଭିଯୁକ୍ତ ଗୌତମ ମିଶ୍ରଙ୍କ ଜନ୍ମଦିନ ପାଳନ ଚାଲିଛି। ଗୌତମ ମିଶ୍ରଙ୍କ ନାମରେ ମରଣାନ୍ତକ ଆକ୍ରମଣ ଓ ଅପହରଣ ଭଳି ୫ରୁ ଅଧିକ ଏତଲା ରୁଜୁ ହୋଇଛି। ପାରାଦ୍ଵୀପ ଆଦର୍ଶ ଥାନା, ପିପିଏଲ ଫାଣ୍ଡି ସମେତ ଅନ୍ୟ ଥାନାରେ ଏହି ସବୁ ମାମଲା ହୋଇଛି।
ଗତ ଏପ୍ରିଲ ୨୯ରେ ପାରାଦ୍ଵୀପ ମାଉସୀମା ଛକରୁ ମାରଣାସ୍ତ୍ର ଦେଖାଇ ଗୈାତମ ଅଧିକାରୀଙ୍କୁ ଅପହରଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ ଗୌତମ ମିଶ୍ର। କାରଣ ଥିଲା ତାଙ୍କ ମାମୁଁ ପ୍ରକାଶ ତ୍ରିପାଠୀଙ୍କ ପୂର୍ବ ଉପକୂଳ ଶ୍ରମିକ ସଙ୍ଘରେ ଗୌତମ ଅଧିକାରୀ ସାମିଲ ନହେବା। ଏହାକୁ ନେଇ ଗୈାତମ ଅଧିକାରୀଙ୍କ ସାଥି ରାମଚନ୍ଦ୍ର ପରିଡା ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଅପହରଣର ଶିକାର ଯୁବକ ଭୟରେ ଲୁଚି ଭୁବନେଶ୍ୱର ପଳାଇ ଆସିଥିଲେ। ଦୁଇଦିନ ଭୁବନେଶ୍ୱରରେ ଥିବାବେଳେ ତାଙ୍କୁ ପାରାଦ୍ଵୀପ ପୋଲିସ ଉଠାଇ ଆଣି ଗୋଟିଏ ଦିନ ଥାନାରେ ବସାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲା।
ସେହିପରି ତୈଳ ଟର୍ମିନାଲରେ ତେଲ ପରିବହନ କରୁଥିବା ଜଣେ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ଆକ୍ରମଣର ଶିକାର ଯୁବକଙ୍କ ନାମରେ ପୁର୍ବରୁ ଏତଲା ଦିଆଯାଇଥିବା ଦର୍ଶାଇ ମାମଲା ରଫାଦଫା କରିବାକୁ ଉଦ୍ୟମ କରିଥିଲା ପୋଲିସ। ସମ୍ପୃକ୍ତ ଯୁବକଙ୍କ ବାପାଙ୍କ ଦସ୍ତଖତ ସାଧା କାଗଜରେ ନେଇଯାଇଥିଲା ପୋଲିସ। ଏବେ ଏହି ସବୁ ମାମଲାର ଅଭିଯୁକ୍ତର ଜନ୍ମଦିନରେ ଥାନା ପରିସରରେ ଖୋଦ୍ ଆଇଆଇସି ତାଙ୍କୁ କେକ୍ କାଟି ଖୁଆଇ ଦେବାର ଦୃଶ୍ୟ ପାରାଦ୍ଵୀପର ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଦୃଶ୍ୟ।