ଏଣିକି ଆଧାର ଠାରୁ ଅଧିକ ଜରୁରୀ ହେବ କି ଜନ୍ମଗତ ପ୍ରମାଣପତ୍ର? ଜାଣନ୍ତୁ କ’ଣ କହୁଛି ନୂଆ ନିୟମ…

1 min read

ନୂଆଦିଲ୍ଲୀ: ଜନ୍ମଗତ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ। ଶିକ୍ଷାନୁଷ୍ଠାନରେ ଆଡମିସନ, ବିବାହ ପଞ୍ଜିକରଣ, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଚାକିରି ଆଦି କ୍ଷେତ୍ରରେ ଏଣିକି ଆବଶ୍ୟକ ହେବ ଜନ୍ମଗତ ପ୍ରମାଣପତ୍ର। ଆସନ୍ତା ଅକ୍ଟୋବର ୧ରୁ ଲାଗୁହେବ ନିୟମ । କେନ୍ଦ୍ରୀୟ ଯୋଜନା ଓ ସେବା କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି କୁହାଯାଇଛି ।

ଗତକାଲି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ଆଇନ ୨୦୨୩ କାର୍ଯ୍ୟକାରୀ ହେବା ପରେ ଏନେଇ ଘୋଷଣା କରିଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ । ଏହି ଆଇନ କାର୍ଯ୍ୟକାରୀ ହେବା ପଛରେ ରହିଛି କେତେକ କାରଣ । ଏହା ଦ୍ବାରା ଦେଶର ଜନସଂଖ୍ୟାଜନିତ ସର୍ଭେ କ୍ଷେତ୍ରରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ସହାୟକ ହେବ।

ଏହା ସହ ପଞ୍ଜିକୃତ ଜନ୍ମ-ମୃତ୍ୟୁ ନେଇ ଏକ ଜାତୀୟ ଡାଟାବେସ ପ୍ରସ୍ତୁତିରେ ବି ଏହା ସହାୟକ ହେବ । ରାଜ୍ୟ ଦ୍ବାରା ନିଯୁକ୍ତ ଚିଫ ରେଜିଷ୍ଟ୍ରାର ଓ ରାଜ୍ୟଦ୍ବାର ନିଯୁକ୍ତ ଆଞ୍ଚଳିକ ରେଜିଷ୍ଟ୍ରାରଙ୍କ ନିକଟରେ ବି ଏହି ତଥ୍ୟ ରହିବ । ରାଜ୍ୟସ୍ତରରେ ବି ଏକ ଡାଟାବେସ ରହିବ । ଏହି ଡାଟାବେସରେ ଅଣପ୍ରତିଷ୍ଠାନଭିତ୍ତିକ ପୋଷ୍ୟ ସନ୍ତାନ ଗ୍ରହଣ, ସରୋଗେସୀ, ଅବିବାହିତା ମାତାଠାରୁ ଜାତ ସନ୍ତାନ ଆଦିଙ୍କ ତଥ୍ୟ ରହିବ। ଜାତୀୟ ସ୍ତରରେ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ରାସନ କାର୍ଡ ଆଦି କ୍ଷେତ୍ରରେ ଏହି ଜାତୀୟ ଡାଟାବେସ ବି ପ୍ରସ୍ତୁତ ହେବ।