ଦେଶର ଅନେକ ରାଜ୍ୟରେ ଶହ ଶହ ପକ୍ଷୀ ମୃତ୍ୟୁ: ନୂଆ ଭାଇରସ୍ ଚିହ୍ନଟ

1 min read

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶର ଅନେକ ରାଜ୍ୟରୁ ବହୁ ସଂଖ୍ୟାରେ ପକ୍ଷୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଶହ ଶହ ପକ୍ଷୀ ହଠାତ‌ ମରି ପଡ଼ିବା ସ୍ଥାନୀୟ ଲୋକ ଏବଂ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ପ୍ରତିବର୍ଷ ଶୀତ ଦିନରେ ପଶୁ ପକ୍ଷୀମାନଙ୍କର ସମସ୍ୟା ବଢ଼ିଯାଏ, କିନ୍ତୁ ସେମାନଙ୍କର ନିରନ୍ତର ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। ସଂପୃକ୍ତ ରାଜ୍ୟ ସରକାରମାନେ ନିଜ ନିଜ ସ୍ତରରେ ଉପଯୁକ୍ତ ପଦକ୍ଷେପ ନେବା ସହ ପ୍ରଶାସନକୁ ମଧ୍ଯ ସତର୍କ କରାଯାଇଛି।

ହିମାଚଳପ୍ରଦେଶର ପୋଙ୍ଗ ଜଳଭଣ୍ଡାରରେ ପ୍ରାୟ ୧୪ଶହ ପକ୍ଷୀଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି। ସତର୍କତା ଅବଲମ୍ବନ କରି କଙ୍ଗରା ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜଳଭଣ୍ଡାରରେ ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି। ପକ୍ଷୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଭୋପାଳର ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ ଲ୍ୟାବକୁ ନମୁନା ପଠାଯାଇଛି।

ନୂଆ ଭାଇରସ୍ ଚିହ୍ନଟ:

ଏଥି ସହିତ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଘରୋଇ କଲେଜ କ୍ୟାମ୍ପସରେ ଶହେରୁ ଅଧିକ କାଉଙ୍କ ମୃତ୍ୟୁ ହୋଇଛି । ଚିନ୍ତାର କାରଣ ହେଉଛି ମୃତ କାଉଙ୍କ ମଧ୍ୟରୁ ୨ଟିରେ ଯାଞ୍ଚ ବେଳେ ‘H-5N-8’ ଭାଇରସ୍ ମିଲିଛି। ଏହା ପରେ ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାଣୀ ଚିକିତ୍ସା ବିଭାଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗ ସକ୍ରିୟ ହୋଇଯାଇଛି।

ଗୁଜୁରାଟରେ ଜୁନାଗଡ଼ରେ ମଧ୍ଯ ୫୩ଟି ପକ୍ଷୀଙ୍କ ମୃତ୍ୟୁ ଖବର ହେତୁ ରାଜ୍ୟର ପ୍ରଶାସନ ସତର୍କ ହୋଇପଡ଼ିଛି। ସେଠାରେ ପକ୍ଷୀମାନଙ୍କ ମୃତ୍ୟୁର କାରଣ ପଛରେ ବାର୍ଡ଼ ଫ୍ଲୁ ହୋଇଥିବା ଆଶଂକା କରାଯାଉଛି। ଏହା ବ୍ୟତୀତ ରାଜସ୍ଥାନର ଧର, ଜୟପୁର ସମେତ ୭ଟି ଜିଲ୍ଲାରେ ୨୪ଘଣ୍ଟାରେ ଆଉ ୧୩୫ କାଉଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗେହଲଟ ସରକାର ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି। ଏଥିସହ ଚାରିଟି ବିଭାଗରେ ବିଶେଷଜ୍ଞ ଦଳ ମଧ୍ୟ ପଠାଯାଇଛି। ୨୦୧୯ ରାଜସ୍ଥାନ ସାମ୍ଭର ହ୍ରଦରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ମୃତ୍ୟୁ ଘଟଣାପରେ ଏହା ହେଉଛି ଦ୍ୱିତୀୟ ବଡ଼ ଘଟଣା।

 

Leave a Reply