ଜାନୁଆରୀ ୧୮ରେ ସାରା ରାଜ୍ୟରେ ହେବ ପକ୍ଷୀ ଗଣନା, ଫ୍ଲେମିଙ୍ଗୋର ପ୍ରକୃତ ଦେଶକୁ ଖୋଜିବ ବନ ବିଭାଗ

ଭୁବନେଶ୍ବର: ନୂଆବର୍ଷରେ ହେବ ପକ୍ଷୀ ଗଣନା । ଆସନ୍ତା ଜାନୁଆରୀ ୧୮ରେ ପକ୍ଷୀ ଗଣନା କରିବେ ରାଜ୍ୟ ସରକାର । ପ୍ରଥମ ଥର ପାଇଁ ଗୋଟାଏ ଦିନରେ ସାରା ରାଜ୍ୟରେ ଏକା ସଙ୍ଗେ ଏହି ଗଣନା କାର୍ଯ୍ୟ କରାଯିବ । ଏ ନେଇ ଜାନୁଆରୀ ୧୬ ତାରିଖରେ ପ୍ରକ୍ରିୟା ଆରମ୍ଭ ହେବ । ଏଥର ପକ୍ଷୀ ଗଣନାର ଫୋକସରେ ରହିବ ଫ୍ଲେମିଙ୍ଗୋ ପକ୍ଷୀର ଗତିବିଧି । ସେମାନେ ପ୍ରକୃତ କେଉଁ ଦେଶରୁ ଆସୁଛନ୍ତି, ତାହା ଜାଣିବାକୁ ସେମାନଙ୍କ ଗୋଡ଼ରେ ଲଗାଯିବ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ।

କେଉଁ ଦେଶରୁ ଚିଲିକାକୁ ଆସୁଛନ୍ତି ଫ୍ଲେମିଙ୍ଗୋ ? ପ୍ରକୃତରେ ସାଇବେରିଆ ନା ଅନ୍ୟ କୌଣସି ଦେଶରେ ରହିଛି ଫ୍ଲେମିଙ୍ଗୋର ଠିକଣା ? ଏ ସବୁ ସ୍ପଷ୍ଟ କରିବ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ । ଜାନୁଆରୀ ୧୮ରେ ସାରା ରାଜ୍ୟରେ ଏକା ସଙ୍ଗେ ହେବାକୁ ଥିବା ପକ୍ଷୀ ଗଣନାରେ ଫ୍ଲେମିଙ୍ଗୋର ପ୍ରକୃତ ଦେଶକୁ ଖୋଜିବ ବନ ବିଭାଗ । ପକ୍ଷୀ ଗଣନା ପରେ ୧୦ଟି ଫ୍ଲେମିଙ୍ଗୋଙ୍କ ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ଖଞ୍ଜା ଯିବ । ସେମାନେ ଶୀତ ପରେ କେଉଁ ଦେଶକୁ ଫେରୁଛନ୍ତି, ତାହା ଏହି ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ଦ୍ବାରା ସ୍ପଷ୍ଟ ହୋଇଯିବ । ଚିଲିକା ହ୍ରଦର ଚତୁପାର୍ଶ୍ଵରେ ଥିବା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଆଦି ଅଞ୍ଚଳରେ ଥିବା ଜଳାଶୟକୁ ବିଦେଶୀ ପକ୍ଷୀ ଆସିଥାନ୍ତି । ପ୍ରତି ଜଳାଶୟରେ ଗୋଟିଏରୁ ଦୁଇଟି ଫ୍ଲେମିଙ୍ଗୋଙ୍କ ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ଲଗାଇବାକୁ ଯୋଜନା କରିଛି ବନ ବିଭାଗ ।

ଶୀତ ଋତୁର ଆରମ୍ଭରେ ଓଡ଼ିଶାର ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ହୋଇଥାଏ । ଏହି ଜଳାଶୟ ଗୁଡ଼ିକୁ ଗତ ନଭେମ୍ବର ଶେଷ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇସାରିଛି । ସେଥିରୁ କେବଳ ଚିଲିକାର ନଳବଣରେ ୨ ଲକ୍ଷ ୧୭ ହଜାର ୧୭୦ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି । ସେମାନଙ୍କୁ ଟେଲିସ୍କୋପ୍, ବାଇନାକୁଲାର ସମେତ ସ୍ପଟୋସ୍କୋପ୍ ଜରିଆରେ ଟ୍ରାକିଂ କରାଯିବ । ଏହା ପରେ ସାମ୍ପଲିଂ ଜରିଆରେ ପକ୍ଷୀ ଗଣନା କରାଯିବ ।