spot_img

Latest Posts

ଅରାଚଣ୍ଡୀରେ ୧୭ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ

ଭୁବନେଶ୍ୱର: ବାଙ୍କୀ ଉପଖଣ୍ଡରେ କ୍ରମାଗତ ଭାବେ ବିଦେଶାଗତ ପକ୍ଷୀମାନଙ୍କର ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଶୀତ ଋତୁରେ ଅରାଚଣ୍ଡୀ ଆଦ୍ର ଭୂମି ପର୍ଯ୍ୟଟକଙ୍କ ମନରେ ଚିଲିକାର ଭ୍ରମ ସୃଷ୍ଟି କରିଥାଏ । କାରଣ ଅନେକ ବିଦେଶାଗତ ପକ୍ଷୀ ଏହି ସମୟରେ ଅରାଚଣ୍ଡୀ ୱେଟ୍ ଲ୍ୟାଣ୍ଡକୁ ଆସିଥାନ୍ତି ।

ସାରା ଓଡ଼ିଶାରେ ବିଦେଶାଗତ ପକ୍ଷୀଙ୍କୁ ବନ ବିଭାଗ ତରଫରୁ ଗଣନା କରାଯାଉଥିବା ବେଳେ ବାଙ୍କୀ ସ୍ଥିତ ଅରାଚଣ୍ଡୀକୁ କିନ୍ତୁ ବନ ବିଭାଗ ଧ୍ୟାନ ଦିଏ ନାହିଁ । ପ୍ରତିବର୍ଷ ୧୦ ହଜାରରୁ ଅଧିକ ପକ୍ଷୀଙ୍କର ସମାଗମ ହେଉଥିବା ବେଳେ ଘରୋଇ ଉଦ୍ୟମରେ ସେଣ୍ଟର ଫର ରୁରାଲ ଟୁରିଜିମ୍ ଡେଭଲପମେଣ୍ଟ (ସି. ଆର. ଟି. ଡି) ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ୨୦୧୭ରୁ ଅରାଚଣ୍ଡୀ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହାତକୁ ନେଇଛି । ସିଆରଟିଡିର ସମ୍ପାଦକ ଲଳିତ ମୋହନ ପଣ୍ଡା ଙ୍କ ନେତୃତ୍ୱରେ ଆଜି ୨୦୨୨ ମସିହା ପାଇଁ ଅରାଚଣ୍ଡୀରେ ୱେଟ୍ ଲ୍ୟାଣ୍ଡ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜିର ପକ୍ଷୀ ଗଣନା କର୍ଯ୍ୟକ୍ରମରେ ସମୁଦାୟ ୩ ଟି ଟିମ ଗଠନ କରାଯାଇ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଗଣନା କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଛାତ୍ର, ବାଙ୍କୀ କଲେଜର ରୋଭର ରେଞ୍ଜର ମୁଖ୍ୟ ଭୂପତି ଭୂଷଣ ପ୍ରଧାନ ଓ ୭ ଜଣ ସଦସ୍ୟ , ସି. ଆର. ଟି. ଡିର ସଦସ୍ୟ ମାନେ ଯୋଗ ଦେଇଥିଲେ । କୋଭିଡ ଗାଇଡ଼ ଲାଇନ ଅନୁସାରେ ସାମାଜିକ ଦୁରତା ରକ୍ଷା କରି ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗତ ବର୍ଷ ୧୫ ହଜାର ୧୧୩ ଟି ବିଦେଶାଗତ ପକ୍ଷୀ ଉକ୍ତ ଜଳାଶୟରେ ଗଣନା କରାଯାଇଥିବା ବେଳେ, ଚଳିତ ବର୍ଷ ଏହି ଜଳାଶୟ କୁ ପ୍ରାୟ ୧୧୩ ପ୍ରଜାତିର ୧୭ ହଜାର ରୁ ଊର୍ଦ୍ଧ୍ୱ ପକ୍ଷୀ ଅରାଚଣ୍ଡୀକୁ ଆସିଥିବା ନେଇ ସିଆରଟିଡି ପକ୍ଷରୁ କୁହାଯାଇଛି । ପକ୍ଷୀ ଗଣନା ବେଳେ ଦେଖା ଯାଇଥିବା ପକ୍ଷୀଙ୍କ ମଧ୍ୟରେ ନରଦର୍ନ ପିନ୍ ଟେଲ, ରୁଡ଼ି ସେଲ ଡକ, ନରଦର୍ନ ଶୋଭଲର, କଟନ ଟିଲ, ଇରେଷିଆନ ଉଇଜନ, ରେଡ଼ କ୍ରେଷ୍ଟେଡ଼ ପୋଚାର୍ଡ, ସ୍ପଟ ବିଲ ଡ଼କ, ଗାର୍ଗାନି, ପେଣ୍ଟେଡ଼ ଷ୍ଟର୍କ, ଗ୍ରେ ହେରନ୍, ପର୍ପଲ ହେରୋନ୍, କମନ ସ୍ନାଇପ, ବ୍ଲାକ ଟେଲ ଗଡ଼ଉଇଟ, କମନ କୁଟ, ଲିଟିଲ ଗ୍ରିବ, ଗ୍ରେ ହେଡେଡ ଲାପ୍ଉଇଙ୍ଗ ପ୍ରମୁଖ ଥିଲେ ।

Latest Posts

Don't Miss