ଦିନେ ଅପହଞ୍ଚ ଜଙ୍ଗଲକୁ ଆଲୋକିତ କରୁଥିଲା, ହେଲେ ଏବେ ଅଲୋଡ଼ା ଏହି ପ୍ରକଳ୍ପ….

କେନ୍ଦୁଝର ଜିଲ୍ଲାର ବଡ଼କମଣ୍ଡରା ଗାଁରେ ମାଗଣା ବିଦ୍ୟୁତ ସେବା ପାଇଁ ଜୈବ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହୋଇଥିଲା । ୧୫ ବର୍ଷ ତଳେ । ପ୍ରାୟ ୨୫୦ ପରିବାର ମାଗଣା ବିଦ୍ୟୁତ ସେବା ପାଇଥିଲେ । ହେଲେ ଏବେ ଏହି ଶକ୍ତି ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି । ଏସବୁର ଆବଶ୍ୟକତା  ବି ମରିଯାଇଛି । ଏତେ ଅନାବଶ୍ୟକ ଯେ ସରଞ୍ଜାମ ବି ଚୋରି ହୋଇ ସାରିଲାଣି । ସେବେ ସିଧାସଳଖ ଭାବେ ଜଳ ଓ କୋଇଲା ଉତ୍ପାଦିତ ବିଦ୍ୟୁତ ଉକ୍ତ ଅପହଞ୍ଚ ଇଲାକାରେ ପହଞ୍ଚିନଥିଲା । ତେଣୁ ଏହି ପ୍ରକଳ୍ପ ଉପରେ ଲୋକେ ନିର୍ଭରଶୀଳ ଥିଲେ ।

ଏବେ ସ୍ଥିତି ବଦଳିଛି । ଅନାବଶ୍ୟକ ହୋଇ ସାରିଛି ଜୈବ ବିଦ୍ୟୁତ ପ୍ରକଳ୍ପ  । ପ୍ରକଳ୍ପର ଏବେ ଅଦରକାରୀ, ହେଲେ କିଛି ବର୍ଷ ପରେ ପୁଣି ଥରେ ଏମିତି ପ୍ରକଳ୍ପ ପାଇଁ ପ୍ରୟାସ ଆରମ୍ଭ ହେବ । ବିଦ୍ୟୁତ ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା ଦିନେ ସରିଯିବା ପରେ ପୁଣି ଏଭଳି ପ୍ରକଳ୍ପକୁ ବିକାଶ କରିବା ପାଇଁ ସରକାର ପ୍ରଚେଷ୍ଟା କରିବେ, ନିଶ୍ଚୟ । ପ୍ରକଳ୍ପକୁ ବନ୍ଦ କରିବା ପରିବର୍ତ୍ତେ ସରକାର ଏହାର ବିକାଶ ଓ ଗବେଷଣା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଗ୍ରାମବାସୀମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗ୍ରାମବାସୀମାନେ ବିପିଏଲ ବିଦ୍ୟୁତ ସେବା ପାଇବା ପରେ ଏହି ପ୍ରକଳ୍ପକୁ ଏତେ ଧ୍ୟାନ ଦେଇନଥିଲେ । ଲୋକଙ୍କ ଆବଶ୍ୟକତା ମରିଯିବା ପରେ ପ୍ରକଳ୍ପ ଅଲୋଡ଼ା ହୋଇଥିଲା ।

Leave a Reply