spot_img

Latest Posts

ପାକିସ୍ତାନର ଅଣ ନାଟୋ ସହଯୋଗୀ ରାଷ୍ଟ୍ର ମାନ୍ୟତା ରଦ୍ଦ ପାଇଁ ଆମେରିକା କଂଗ୍ରେସର ପ୍ରସ୍ତାବ

ୱାସିଂଟନ: ଆମେରିକା ସଂସଦ (କଂଗ୍ରେସ)ର ୧୧୭ ତମ ଅଧିବେଶନରେ ଏମିତି ଗୋଟିଏ ପ୍ରସ୍ତାବ ଆସିଛି ଯାହା ପାକିସ୍ତାନ ପାଇଁ ଝଟକା ସାବ୍ୟସ୍ତ ହୋଇପାରେ । ସଂସଦରେ ପାକିସ୍ତାନକୁ ମିଳିଥିବା ପ୍ରମ୍ମୁଖ ଅଣ ନାଟୋ ରାଷ୍ଟ୍ର ମାନ୍ୟତା ରଦ୍ଦ କରିବା ପାଇଁ ପ୍ରସ୍ତାବ ଆସିଛି । ରିପବ୍ଲିକ ପାର୍ଟି ସାଂସଦ ଆଣ୍ଡି ବିଗ୍ସ ଏହି ପ୍ରସ୍ତାବକୁ ପେସ କରିଛନ୍ତି । ଅଣ ନାଟୋ ରାଷ୍ଟ୍ର ମାନ୍ୟତା କାରଣରୁ ପାକିସ୍ତାନ ଆମେରିକାଠାରୁ ପ୍ରତିରକ୍ଷା କ୍ଷେତ୍ରରେ ବିଭିନ୍ନ ସହଯୋଗ ଓ ସାହାଯ୍ୟ ପାଇଥାଏ ।

ପ୍ରସ୍ତାବରେ କୁହାଯାଇଛି ଯେ, ଆମେରିକା ରାଷ୍ଟ୍ରପତି ପାକିସ୍ତାନକୁ ସେପର୍ଯ୍ୟନ୍ତ ପ୍ରମୁଖ ଅଣ ନାଟୋ ରାଷ୍ଟ୍ରର ମାନ୍ୟତା ଦେଇ ପାରିବେ ନାହିଁ ଯେପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଅଫିସ ଏହା ପ୍ରମାଣିତ କରିନାହିଁ ଯେ, ପାକିସ୍ତାନ ନିଜ ଦେଶରେ ଆଫଗାନିସ୍ତାନରେ ସକ୍ରୀୟ ଥିବା ହକ୍କାନୀ ନେଟୱର୍କକୁ ସାମରିକ ସାହାଯ୍ୟ ଦେଉନାହିଁ । ପାକିସ୍ତାନ ହକ୍କାନୀ ନେଟୱର୍କ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପ୍ରମାଣ ରାଷ୍ଟ୍ରପତି ଦିଅନ୍ତୁ ବୋଲି ପ୍ରସ୍ତାବରେ ଦାବି କରାଯାଇଛି ।

୨୦୦୪ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଜବ୍ଲ୍ୟୁ ବୁସ୍(ଜୁନିଅର) ପାକିସ୍ତାନକୁ ପ୍ରମ୍ମୁଖ ଅଣ ନାଟୋ ରାଷ୍ଟ୍ରର ମାନ୍ୟତା ଦେଇଥିଲେ । ବର୍ତ୍ତମାନ ଆମେରିକା ୧୬ ଟି ଦେଶକୁ ଅଣ ନାଟୋ ସହଯୋଗୀ ରାଷ୍ଟ୍ରର ମାନ୍ୟତା ଦେଇଛି । ୨୦୧୮ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ଦିଆଯାଉଥିବା ଆର୍ଥିକ ଓ ସୁରକ୍ଷା ସାହାଯ୍ୟକୁ ରୋକି ଦେଇଥିଲେ ଓ ଏହାକୁ ପ୍ରମ୍ମୁଖ ଅଣ ନାଟୋ ସହଯୋଗୀ ରାଷ୍ଟ୍ର ତାଲିକାରୁ ବାଦ ଦେବାକୁ ବିଚାର କରିଥିଲେ । ଟ୍ରମ୍ପଙ୍କ ପୂର୍ବରୁ ବାରକ ଓବାମାଙ୍କ ସରକାର ଭାରତକୁ ପ୍ରମ୍ମୁଖ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ର ଭାବେ ନାମିତ କରିଥିଲା ।

Latest Posts

Don't Miss