ପାକିସ୍ତାନକୁ କାହିଁକି ପ୍ରଶଂସା କଲେ ବିଲ୍ ଗେଟସ୍?

1 min read

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗୁରୁବାର ଦିନ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ତଥା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଇମ୍ରାନ୍ ଖାନ୍ ପୋଲିଓ ଓ କୋଭିଡ଼-୧୯ ବିଷୟରେ ବିଲ୍ ଗେଟ୍ସଙ୍କ ସହ କଥା ହୋଇଥିଲେ । ଏହି ଫାଉଣ୍ଡେସନ୍ ପୋଲିଓର ମୂଳ ଉତ୍ପାଟନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପାକିସ୍ତାନକୁ ସାହାଯ୍ୟ କରୁଛି ।

ପାକିସ୍ତାନୀ ଖବର କାଗଜ, ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ରିପୋର୍ଟ ମୁତାବକ ଇମ୍ରାନ୍ ଖାନ୍ ପାକିସ୍ତାନରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ପାକିସ୍ତାନରେ କୋଭିଡ-୧୯ ଟିକାକରଣ ଅଭିଯାନ ସଫଳ ହୋଇଥିବା ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ ବିଲ୍ ଗେଟ୍ସ। ଗେଟ୍ସ ଫାଉଣ୍ଡେସନ୍ ନିରନ୍ତର ଭାବେ ପାକିସ୍ତାନର ସମର୍ଥନ ଜାରି ରଖିବ। ପ୍ରଧାନମନ୍ତ୍ରୀ ଓ ଗେଟ୍ସ ମିଳିତ ଭାବେ ପୋଲିଓର ମୂଳ ଉତ୍ପାଟନ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି।

ସେହିପରି ପାକିସ୍ତାନରେ ୨୦୨୧ ମସିହାରେ ପୋଲିଓ ମାମଲା ଦ୍ରୁତ ଗତିରେ ହ୍ରାସ ପାଇଛି। ଆଉ ପୂରା ବର୍ଷରେ କେବଳ ଗୋଟିଏ ପୋଲିଓ ମାମଲା ରେକର୍ଡ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ବିଲ୍ ଗେଟ୍ସଙ୍କୁ କହିଥିବା ସୂଚନା ମିଳିଛି। ବିଲ୍ ଗେଟ୍ସ ଫାଉଣ୍ଡେସନ୍ ସାରା ବିଶ୍ୱରେ କୋଭିଡ଼ ଟିକାର ସାମଗ୍ରୀ ବିତରଣକୁ ନେଇ ମଧ୍ୟ କାମ କରୁଛନ୍ତି। ଯାହାକୁ ପ୍ରଶଂସା କରିଛନ୍ତି ଇମ୍ରାନ।

Leave a Reply