ବିଲକିସ୍ ବାନୋ ଗଣଦୁଷ୍କର୍ମକାରୀ ସହ ବିଜେପି ବିଧାୟକ ଓ ସାଂସଦ

ଗାନ୍ଧୀନଗର: ବିଜେପି ବିଧାୟକ ଓ ସାଂସଦଙ୍କ ସହ ନଜର ଆସିଛନ୍ତି ବିଲକିସ୍ ବାନୋ ଗଣଦୁଷ୍କର୍ମକାରୀ । ୧୧ ଦୋଷୀଙ୍କ ମଧ୍ୟରୁ ଜଣଙ୍କୁ ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଓ ଏମପିଙ୍କ ସହ ଷ୍ଟେଜରେ ବସିଥିବା ଦେଖାଯାଇଛି । ଗତ ରବିବାର ଦୁଷ୍କର୍ମକାରୀ ଶୈଳେଶ ଭଟ୍ଟ ଗୁଜରାଟରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୋର ଧରିଛି ରାଜନୀତି ।

ଟୁଇଟର ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରିବା ସହ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତୃଳମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରୋ । ଏହି ରାକ୍ଷସମାନଙ୍କୁ ମୁ ଜେଲରେ ଦେଖିବାକୁ ଚାହୁଁଛି। ଏହାସହ ଗୁଜରାଟ ସରକାରକୁ ସୈତାନ ବୋଲି କହିଛନ୍ତି ମହୁଆ । ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ ଜେଲଦଣ୍ଡ ମିଳିଥିଲା।

ଗତବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମାନୀତି ବଳରେ ସମସ୍ତଙ୍କୁ ମୁକ୍ତ କରିଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦୁଷ୍କର୍ମକାରୀଙ୍କୁ ଗୁଜରାଟ ସରକାର ଦେଇଥିବା କ୍ଷମାକୁ ସୁପ୍ରିମକୋର୍ଟରେ ବିଲକିସ୍ ବାନୋ ସୁପିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଜି ଏହାର ଶୁଣାଣି ହେବାର ଅଛି। କିନ୍ତୁ ଏହାପୂର୍ବରୁ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଦୁଷ୍କର୍ମକାରୀକୁ ଷ୍ଟେଜ ଉପରେ ଦେଖିବାକୁ ମିଳିଛି।