ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ମୁକ୍ତ କରିବା ପରେ ବିବାଦ ଘେରରେ ଗୁଜୁରାଟ ସରକାର

ଗାନ୍ଧିନଗର: ବହୁଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା । ୧୧ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେବାକୁ ନେଇ ବଢିଛି ବିବାଦ । ଆଜି ଏନେଇ ଜାତୀୟ ମାନବାଧିକାର କମିଶନ ସ୍ବତନ୍ତ୍ର ଭାବେ ବିଚାର ବିମର୍ଶ କରିବେ । ମାମଲାରେ ଦୋଷୀ କେମିତି ଜେଲରୁ ମୁକୁଳିଲେ ତାକୁ ଆଲୋଚନା କରାଯିବ । ପୂର୍ବରୁ ପ୍ରାୟ ୬ ହଜାର ମାନବାଧିକାର କର୍ମୀ, ଐତିହାସିକ, ଅମଲାତନ୍ତ୍ରୀ, ଲେଖକ, ଫିଲ୍ମ ନିର୍ମାତା, ସାମ୍ବାଦିକ, ସମାଜସେବୀ ବିରୋଧ କରିଥିଲେ ।

ଅଭିଯୁକ୍ତଙ୍କ ଖଲାସ ହେବାକୁ ସେମାନେ ବିରୋଧ କରିବା ସହ ନିଷ୍ପତ୍ତିକୁ ବାତିଲ କରିବା ଲାଗି ଦାବି କରିଥିଲେ । ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ନ୍ୟାୟ ବ୍ୟବସ୍ଥାର ବୃହତ ପରିପନ୍ଥୀ ବୋଲି ସେମାନେ ଦର୍ଶାଇଛନ୍ତି । ଏହି ମାମଲାରେ ତ ୨୦୦୮ ଜାନୁଆରୀ ୨୧ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ମୋଟ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ପରେ ଏହି ରାୟକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ ।

ଫଳରେ ସମସ୍ତ ଅଭିଯୁକ୍ତ ଗୋଧ୍ରା ସବଜେଲରେ ରହିଥିଲେ । ମାତ୍ର ଗତ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ସେମାନଙ୍କୁ ସ୍ବତନ୍ତ୍ର ନୀତିକୁ ଆଧାର କରି ମୁକ୍ତ କରିଦେଇଥିଲେ । ୨୦୦୨ ଗୋଧ୍ରା ଗଣହତ୍ୟା ଘଟଣା କ୍ରମେ ମାର୍ଚ୍ଚ ୩ ତାରିଖରେ ୫ ମାସର ଗର୍ଭବତୀ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏହା ସହ ତାଙ୍କର ୩ ବର୍ଷର ଶିଶୁକନ୍ୟାଙ୍କ ସମେତ ପରିବାରର ୭ଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ ।