ଦୋଷୀଙ୍କ ଖଲାସକୁ ନେଇ ସୁପ୍ରିମକୋର୍ଟ ଖପ୍ପା, ଆଜି ବିଲକିସ୍ ବାନୋଙ୍କ ସହ ହେଲା କାଲି ଆଉ କାହା ସହ ହେବ…

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ବିଲକିସ ମାମଲାରେ ଜେଲଦଣ୍ଡ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ପାରୋଲ ଦିଆଯିବାକୁ ନେଇ ମଙ୍ଗଳବାର ପ୍ରଶ୍ନ ଉଠାଇଛନ୍ତି । ଜଷ୍ଟିସ୍ କେଏମ୍ ଜୋସେଫ ଏବଂ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଅପରାଧର ଗମ୍ଭୀରତା ଉପରେ ରାଜ୍ୟ ବିଚାର କରିବାର ଆବଶ୍ୟକତା ଥିଲା । ସୁପ୍ରିମ କୋର୍ଟ କହିଛନ୍ତି ଜଣେ ଗର୍ଭବତୀ ମହିଳାଙ୍କୁ ସାମୂହିକ ଦୁଷ୍କର୍ମ କରାଗଲା ଏବଂ ଅନେକ ଲୋକଙ୍କ ହତ୍ୟା କରିଦିଆଗଲା । ଆପଣ ପୀଡିତାଙ୍କ ମାମଲାର ତୁଳନା ଧାରା ୩୦୨ (ହତ୍ୟା)ର ସାମାନ୍ୟ ମାମଲା ସହ କରିପାରିବେ ନାହିଁ । ଯେପରି ସେଓର ତୁଳନା କମଳା ସହ କରାଯାଇ ପାରିବ ନାହିଁ ।

ସେହିପରି ନରସଂହାରର ତୁଳନା ଏକ ହତ୍ୟା ସହ କରାଯାଇ ପାରିବନାହିଁ । ଅପରାଧ ସାଧାରଣତଃ ସମାଜ ଏବଂ ଗୋଷ୍ଠୀ ବିରୋଧରେ କରାଯାଇଥାଏ । ଅସାଧାରଣଙ୍କ ସହ ସାଧାରଣ ବ୍ୟବହାର ଠିକ୍ ନୁହେଁ । ଖଣ୍ଡପୀଠ କହିଛନ୍ତି, ପ୍ରଶ୍ନ ଏହା ଯେ କଣ ସରକାର ନିଜ ମୁଣ୍ଡ ଖର୍ଚ୍ଚ କରିଛନ୍ତି ଏବଂ କେଉଁ ସାମଗ୍ରୀ ଆଧାରରେ ଦଣ୍ଡରେ କୋହଳ ଦେବାକୁ ନିଷ୍ପତ୍ତି କଲେ । କୋର୍ଟ ଆଗକୁ କହିଛନ୍ତି, ଆଜି ବିଲକିସଙ୍କ ସହ ଏପରି ଘଟିଛି କାଲି ଆପଣ କିମ୍ବା ମୋ ସହ ମଧ୍ୟ ଏପରି ଘଟିପାରେ । ଯଦି ଆପଣ ଦଣ୍ଡରେ କୋହଳ ପ୍ରଦାନ କରିବାର ନିଜ କାରଣ ନକହୁନ୍ତି ତେବେ ଆମେ ଆମର ନିଷ୍କର୍ସ ବାହାର କରିବୁ ।

କୋର୍ଟ ବିଲକିସ ବାନୋ ମାମଲାରେ ଦଷୀଙ୍କୁ ଦଣ୍ଡରେ କୋହଳ ଦେବାକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନର ଶେଷ ଶୁଣାଣି ପାଇଁ ୨ ମଇକୁ ତାରିଖ ନିର୍ଦ୍ଧାରିତ କରିଛନ୍ତି । ଅର୍ଥାତ ଯଦି ରାଜ୍ୟ ଉଚିତ୍ କାରଣ ନଦର୍ଶାନ୍ତି ସମ୍ଭବତଃ କୋର୍ଟ ଦୋଷୀଙ୍କୁ ପୁଣିଥରେ ଜେଲ୍ ପଠାଇବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । କୋର୍ଟ ସେହି ସମସ୍ତ ଦୋଷୀଙ୍କୁ ନିଜ ଜବାବ ଦାଖଲ କରିବାକୁ କହିଛନ୍ତି, ଯାହାଙ୍କୁ ନୋଟିସ୍ ଜାରି କରାଯାଇ ନାହିଁ । କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମୀକ୍ଷା ଯାଚିକା ଦାଖଲ କରିବା ସମ୍ପର୍କରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟ ୨୦୦୨ର ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ହତ୍ୟାକୁ ଜଘନ୍ୟ କାଣ୍ଡ ବୋଲି କହିଛନ୍ତି । ଏଥିସହିତ କୋର୍ଟ ୨୭ ମାର୍ଚ୍ଚରେ ଗୁଜରାଟ ସରକାରଙ୍କୁ ପଚାରିଥିଲେ ଯେ କଣ ମାମଲାରେ ୧୧ ଦୋଷୀଙ୍କୁ ଦଣ୍ଡରେ କୋହଳ ଦେବା ସମୟରେ ହତ୍ୟାର ଅନ୍ୟ ମାମଲାରେ ଆପଣାଯାଇଥିବା ସମାନ ମାନକ ଲାଗୁ କରାଯାଇଥିଲା । ଗୁଜରାଟ ଗୋଧରାରେ ସାବରମତୀ ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟଣା ପରେ ବ୍ୟାପିଥିବା ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ସାମୂହିକ ଗଣଦୁଷ୍କର୍ମ କରାଯାଇଥିଲା ।

ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଦିଆଯାଇଥିଲା । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଅପରାଧୀଙ୍କ ବାକି ଦଣ୍ଡ କ୍ଷମା କରିଯିବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବିଲକିସ୍ ବାନୋ । ସମସ୍ତ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ଦଣ୍ଡରେ କୋହଳ ଦେଇଥିଲେ ଏବଂ ସେମାନଙ୍କୁ ଗତ ଅଗଷ୍ଟ ୧୫ ତାରିଖରେ ଖଲାସ କରିଦେଇଥିଲେ । ସୂଚନାଥାଉକି, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ୍ ବାନୋ ୨୧ ବର୍ଷର ଥିଲେ ଏବଂ ୫ ମାସର ଗର୍ଭବତୀ ଥିଲେ ।