ଷ୍ଟଣ୍ଟ ଦେଖାଇବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ବାଇକ୍, ଜଣେ ମୃତ

କନ୍ଧମାଳ: ଆଜିକାଲିର ପିଲାଙ୍କୁ ଷ୍ଟଣ୍ଟ ଦେଖାଇବା ନିଶା ଘାରିଛି । ଯାହା ବହୁ ସମୟରେ ମୃତ୍ୟୁର କାରଣ ପାଲଟୁଛି । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ । ଷ୍ଟଣ୍ଟ ଦେଖାଇବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆଡତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାରୁ ଭଞ୍ଜନଗର ମୃତଦେହ ନେଇ ଯାଉଥିଲା । ଏହି ସମୟରେ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସକୁ ଏକ ସ୍ପୋର୍ଟସ ବାଇକ ଧକ୍କା ଦେଇଥିଲା । ଭାରସାମ୍ୟ ହରାଇ ପଛରୁ ଆସୁଥିବା ଆଉ ଏକ ବାଇକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଷ୍ଟଣ୍ଟ ଦେଖାଇ ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ । ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜନଙ୍କୁ ମୃତ୍ଯୁ ଘୋଷଣା କରିଥିଲେ ।