ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

1 min read

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟର ସବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ନଭେମ୍ବର ୨୦୨୧ ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ ।

୨୦୧୮ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି । ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହାଜାର ତଳକୁ ଥିବା ସବୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ ପରିବାର, ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଥିଲା । ସହରାଞ୍ଚଳରେ ବାର୍ଷିକ ଆୟ ୬୦ ହଜାର ତଳକୁ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଆସନ୍ତା ଅଗଷ୍ଟ ୧୫ରୁ ଏହି ଯୋଜନାର ସଂପ୍ରସାରଣ କରାଯିବା ସହ ଅଧିକ ହସପିଟାଲକୁ ସାମିଲ କରାଯିବ । ହିତାଧିକାରୀଙ୍କ ଯୋଗ୍ୟତା ମାପକାଠିରେ ମଧ୍ୟ ପରିବର୍ତ୍ତନ କରାଯିବ । ରାଜ୍ୟ ବାହାରର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଗୁଡିକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ନୂଆ ମାନଦଣ୍ଡ ଅନୁସାରେ ସବୁ ବିଜୁ କୃଷକ କଲ୍ୟାଣ ହିତାଧିକାରୀ ଅର୍ଥାତ୍ ବିଜୁ କୃଷକ କଲ୍ୟାଣ ଯୋଜନା-1ର ୨୫ ଲକ୍ଷ ୬୧ ହଜାର ୬୦୨ ହିତାଧିକାରୀ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-୨ର ୪୪ ଲକ୍ଷ ୮ ହଜାର ୭୦ ସହ ୨ ଲକ୍ଷ ବିପିଏଲ୍, ଇନ୍ଦିରା ଆବାସ ଓ ସ୍ୱଳ୍ପ ଆୟକାରୀ ହିତାଧିକାରୀ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ । ଏଥିସହ ଅତିରିକ୍ତ ୨୦ ଲକ୍ଷ ୮୦ ହଜାର ୩୨୮ ପରିବାର ଏହାର ସୁଫଳ ପାଇବେ । ନୂଆ କାର୍ଡ ନମିଳିବା ପର୍ଯ୍ୟନ୍ତ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡରୁ ଏହି ସୁବିଧା ପାଇପାରିବେ । ସେପ୍ଟେମ୍ବର ପହିଲାରୁ ଏହି ସୁବିଧା ଉପଲବ୍ଧ ହେବ । ଏବେ ରାଜ୍ୟର ୧୮୩ଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିପାରୁଛି । ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ମଧ୍ୟ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ବାହାରେ ଥିବା ଜାତୀୟ ସ୍ତରର ପ୍ରତିଷ୍ଠିତ ହସ୍ପିଟାଲ ଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା କରାଯାଉଛି ।

Leave a Reply