ବିଜୁଙ୍କ ଆଦର୍ଶ ବିଜେଡିର ଆଭିମୁଖ୍ୟ : ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବ ଦଳ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ ହେବ । ପ୍ରତିବର୍ଷ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ କରୁଥିବା ବେଳେ ଏଥର ଦଳ ଟିକେ ନିଆରା ଢଙ୍ଗରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଜୟନ୍ତୀ ପାଳନ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସହ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନକୁ ପାଳନ କରିବା ପାଇଁ ତାଗିଦ କରିଛନ୍ତି ସୁପ୍ରିମୋ ।

ଚଳିତ ବର୍ଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ମାର୍ଚ୍ଚ ୫ ଠାରୁ ୨୦ ତାରିଖ ଯାଏଁ ବିଭିନ୍ନ ନିର୍ବାଚନୀମଣ୍ଡଳୀରେ ପାଳନ କରାଯିବ । କେବଳ ସେତିକି ନୁହେଁ ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ମଧ୍ୟରେ ବିଜେଡ଼ିର ଯୁବ ଏବଂ ଛାତ୍ର ସଙ୍ଗଠନ ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ ଆୟୋଜନ କରାଯିବ ।

ଦାରିଦ୍ର୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ ଭିତ୍ତିଭୂମିର ଉନ୍ନତି ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସଂଖ୍ୟାଧିକ ପଦକ୍ଷେପ  ଗ୍ରହଣ କରାଯାଇଛି । ପ୍ରସାଶନକୁ ଆହୁରି ଉତ୍ତରଦାୟୀ, ସ୍ୱଚ୍ଛ ଏବଂ ଲୋକାଭିମୂଖୀ କରିବା ପାଇଁ 5ଟି ମନ୍ତ୍ର ସହିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନିକଟରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ  ତାଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସାମାଜିକ ଏବଂ ଅର୍ଥନୈତିକ ସର୍ଭେ କରିବା ପାଇଁ ଏକ ଐତିହାସିକ ନିଷ୍ପତି ଗ୍ରହଣ କରାଯାଇଛି । ବିଜୁବାବୁଙ୍କ ଜନ୍ମ ତିଥିରୁ ଆରମ୍ଭ କରି ଏହି ଦୁଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଲରେ ପକ୍କା ଘର ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ଏବଂ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯିବ ।

ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଦଳର ମହିଳା ସଂଗଠନ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ଜଣ ସଫଳ ମହିଳାଙ୍କୁ ସମ୍ମାନିତ କରାଯିବା ସହିତ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳରେ ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବ ବୋଲି ନବୀନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି  ।

Leave a Reply