ମହିଳାଙ୍କ ହକ ଓ ସୁରକ୍ଷା ପାଇଁ ନବୀନଙ୍କ ମହିଳା ବ୍ରିଗେଡଙ୍କ ରଣହୁଙ୍କାର

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେଇଛି ବିଜୁ ମହିଳା ଜନତା ଦଳ । ଦିନକୁ ଦିନ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡିଥିବାରୁ ମହିଳାଙ୍କ ହକ ଓ ଅଧିକାର ପାଇଁ ଦଳ ଲଢେଇ କରିବ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ୧୫ ଜଣିଆ ମହିଳା ବ୍ୟାପାର ଟିମ ଦାୟିତ୍ବ ନେବା ପରେ ସରକାରଙ୍କ ବିରୋଧରେ ଦେଇଛନ୍ତି ରଣହୁଙ୍କାର । ଦଳର ସଭାପତି ମହିଳା ନେତ୍ରୀମାନଙ୍କ ଉପରେ ବିଶ୍ବାସ ଓ ଭରସା କରିଥିବାରୁ ନେତ୍ରୀମାନେ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମହିଳାଙ୍କୁ ପ୍ରତାରଣା କରିଛି ବିଜେପି ସରକାର । ଦିନକୁ ଦିନ ରାଜ୍ୟରେ ଅସୁରକ୍ଷିତ ହୋଇପଡୁଛନ୍ତି ମହିଳା । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ ଯାଏଁ କେଉଁଠି ବି ସୁରକ୍ଷିତ ନୁହନ୍ତି ମହିଳା । ନାରୀ ନିର୍ଯାତନା, ଦୁଷ୍କର୍ମ ମାମଲା ହୁହୁ ହୋଇ ବଢୁଛି, ନ୍ୟାୟ ପାଉନାହିଁ ମାଆ । ଘର ବାହାରିବାକୁ ଭୟ ଲାଗୁଛି । ଏପରି ସ୍ଥିତିରେ ମହିଳାଙ୍କୁ ସୁରକ୍ଷା ଦେବାକୁ ସଂକଳ୍ପ ନେଇଛି ବିଜୁ ମହିଳା ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ପୁନର୍ଗଠନ କରି ମହିଳା ସଂଗଠନର ମଙ୍ଗ ଧରାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ । ଦାୟିତ୍ବ ନେବାର ପ୍ରଥମ ଦିନରୁ ଟିମର ସଦସ୍ୟମାନେ ଶଙ୍ଖଭବନରେ ଏକାଠି ହୋଇ ମହିଳାଙ୍କ ହକ ଓ ଅଧିକାର ପାଇଁ ଲଢେଇ କରିବାକୁ ସଂକଳ୍ପ ନେଇଛନ୍ତି । ପ୍ରଥମ ଦିନରୁ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ନେତ୍ରୀମାନେ ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ମହିଳାମାନେ ସଶକ୍ତ ଓ ସ୍ବାବାଲମ୍ବୀ ହୋଇଥିଲେ । ୭୦ ଲକ୍ଷ ମହିଳା ମିଶନ ଶକ୍ତି ଜରିଆରେ ଆର୍ଥିକ ଓ ସାମାଜିକ ସ୍ତରରେ  ସଶକ୍ତ ହୋଇଥିଲେ । ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ଗୁରୁତ୍ବ ଦେଉଥିଲେ ନବୀନ । ଘରର ଚାରିକାନ୍ଥରୁ ବାହାରି ବିଦେଶ ବୁଲିବାର ସ୍ବପ୍ନକୁ ସାକାର କରିଥିଲେ । ବିଜେପି ସରକାର ଆସିବା ପରେ ପ୍ରଥମେ ସୁଭଦ୍ରା ଯୋଜନା ନାଁରେ ପ୍ରତାରଣାର ଶିକାର ହେଲେ । ମାତ୍ର ୫  ହଜାର ଟଙ୍କାରେ ମହିଳାମାନେ କିପରି ଲକ୍ଷପତି ଦିଦି ହେଲେ ବୋଲି ବିଜେଡି ପ୍ରଶ୍ନ କରିଛି । ନବୀନ ପଟ୍ଟନାୟକ ଯେଉଁ ଆଶା ଓ ବିଶ୍ବାସ ମହିଳାଙ୍କ ମନରେ ଭରିଥିଲେ ତାହା କିପରି ଅତୁଟ ରହିବ ସେ ଦିଗରେ ବିଜୁ ମହିଳା ଜନତା ଦଳ କାମ କରିବ ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ଏହାପୂର୍ବରୁ ବିଜୁ ମହିଳା ଜନତା ଦଳର ପୁନର୍ଗଠନ କରି ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି ।