ବିଜୁ ଲିଗାସିକୁ ବନ୍ଦ କରିବାକୁ ବଡ଼ ଚକ୍ରାନ୍ତ

ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରବାଦପୂରୁଷ ବିଜୁ ବାବୁଙ୍କ ପ୍ରତି ବଢୁଛି ଅସମ୍ମାନ । ବିଜୁ ବାବୁଙ୍କୁ ଜନମାନସରୁ ହଜେଇ ଦେବାକୁ ଆରମ୍ଭ ହୋଇଛି ଷଡଯନ୍ତ୍ର  । ମହାଙ୍ଗାରେ ପ୍ରତିମୂର୍ତ୍ତୀ ହାଣିବା ପରେ ବଲାଙ୍ଗୀରରେ ବିଜୁଙ୍କ ଷ୍ଟାଚୁରେ ଲଗାଇଲେ ନିଆଁ । ରାଜ୍ୟରେ ବିଜେପି ସରକାର ଶାସନ ଗାଦିକୁ ଆସିବା ପରେ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଆରମ୍ଭ ହୋଇଛି ଷଡଯନ୍ତ୍ର । ତାଙ୍କ ପ୍ରତି ଲଗାତର ଭାବେ ଗୋଟିଏ ପରେ ଗୋଟିଏ ଅସମ୍ମାନଜନକ ଘଟଣା ଘଟୁଛି । ପ୍ରଥମେ ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା ଜନକଲ୍ୟାଣକାରୀ ଯୋଜନାର ନାଁ ପରିବର୍ତ୍ତନ କରାଗଲା । ବିଜୁ ବାବଙ୍କ ଜନ୍ମ ଦିବସକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନକୁ ବନ୍ଦ କଲେ ରାଜ୍ୟ ସରକାର। ତାଙ୍କ ଜନ୍ମଦିନ ପୂର୍ବରୁ ମାହାଙ୍ଗାରେ ବିଜୁ ପ୍ରତିମୂର୍ତ୍ତିକୁ ହଣାଗଲା । କଟକରେ ବିଜୁ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ କରାଗଲା । ଆଉ ଏବେ ବଲାଙ୍ଗୀର ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦିଆଗଲା। ଏଭଳି ହୀନ ପ୍ରୟାସ ଓ ଷଡ଼ଯନ୍ତ୍ର ଯାହା ଧାରାବାହିକ ଭାବେ ଚାଲିଛି, ତାକୁ ନିନ୍ଦା କରିଛି ବିଜୁ ଜନତା ଦଳ। ଖୋଦ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନମଣ୍ଡଳିରେ ଏହି ଘଟଣା ଘଟିଛି । ପ୍ରବାଦ ପୁରୁଷଙ୍କ ପ୍ରତି ହେଉଥିବା ଏହି ଷଡ଼ଯନ୍ତ୍ର ପାଇଁ ବିଜେପି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେଡି । ବିଧାନସଭା ଭିତରେ ଓ ବାହାରେ ବିଜୁ ବାବୁଙ୍କୁ ସମ୍ମାନ ଦେବା କଥା କହି ଚାଲିଛି ବିଜେପି । ହେଲେ ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁ ପଟ୍ଟନାୟକଙ୍କୁ ବାରମ୍ବାର ଅପମାନିତ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେଡି।

ରାଜ୍ୟବାସୀଙ୍କ ସ୍ମୃତିରୁ ବିଜୁ ବାବୁଙ୍କୁ ଲିଭାଇବାକୁ ବିଜେପି ସରକାରର ଷଡଯନ୍ତ୍ରକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛି ବିଜେଡି। ସରକାର ଦୁର୍ବଳ ହୋଇଗଲେ ଅପରାଧିକ କାର୍ଯ୍ୟକଳାପ ବଢେ। ଯାହା ବିଜେପି ସରକାର ସମୟରେ ସ୍ପଷ୍ଟ ହୋଇଥିବା ନେଇ କଟାକ୍ଷ କରିଛି ବିଜେଡି। ଏହି ଘଟଣାକୁ ନେଇ ପାଟଣାଗଡରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାଟଣାଗଡ ବିଜେଡି ପକ୍ଷରୁ ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରି ଥାନାରେ ଏଫଆଇଆର ରୁଜୁ କରାଯାଇଛି । ସେପଟେ ଗଣମାଧ୍ୟମରୁ ଜାଣିବା ପରେ ତଦନ୍ତର  ପ୍ରତିଶୃତି ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ।

ବିଜୁ ବାବୁ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଦଳରେ ଆବଦ୍ଧ ନଥିଲେ । ତେଣୁ ତାଙ୍କ ପ୍ରତି ଅସମ୍ମାନକୁ ଅନ୍ୟ ଦଳର ନେତାମାନେ ମଧ୍ୟ ଗ୍ରହଣ କରିପାରୁନାହାଁନ୍ତି । କଂଗ୍ରେସ ଓ ବାମ ଦଳ ନେତାମାନେ ବି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏଭଳି ହୀନ କାର୍ଯ୍ୟ ଦ୍ବାରା ରାଜ୍ୟ ନିନ୍ଦିତ ହୋଇଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ। ବିଜୁ ବାବୁଙ୍କ ଆଦର୍ଶ ଓ ବିଚାର ଧାରାକୁ କେହି ମାନି ନପାରନ୍ତି, ହେଲେ ଅସମ୍ମାନ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ ଉଠିଛି। କଂଗ୍ରେସ କହିଛି, ଖୋଦ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳିରେ ଏହି ଘଟଣା ଘଟିଥିବାରୁ ସେ ଦାୟିତ୍ବ ନିଅନ୍ତୁ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ, ଓଡ଼ିଶାର ସ୍ଵାଭିମାନ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲା ଭଳି ଦୁର୍ଭାଗ୍ୟଜନକ ଘଟଣା। ବିଜେପି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଳାନ ସ୍ମୁତି ପ୍ରତି ଅପମାନ ଦେଲା ଭଳି ଘଟଣା ଘଟି ଚାଲିଛି। ହେଲେ ରାଜ୍ୟ ସରକାରଙ୍କ ନିରବତା ସୃଷ୍ଟି କରିଛି ରହସ୍ୟମୟ ପରିସ୍ଥିତି।