ନୂଆ ଏଜୁକେସନ ପଲିସି କେବଳ ବାହାନା: ଅଙ୍ଗନବାଡି ଦିଦିଙ୍କ ହକ ଛଡାଇ ନେବାକୁ ଷଡ଼ଯନ୍ତ୍ର

ଭୁବନେଶ୍ବର: ଅଙ୍ଗନବାଡି ଦିଦିଙ୍କ ହକ୍ ଛଡ଼ାଇ ନେବାକୁ ଚାଲିଛି ଷଡଯନ୍ତ୍ର । ହେଲେ ଦିଦିଙ୍କ ହକ୍ ପାଇଁ ରାସ୍ତାକୁ ଓହ୍ଲାଇବ ବିଜୁ ଶ୍ରମିକ ସାମୁଖ୍ୟ । ରାଜ୍ୟରେ ଥିବା ଦେଢ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ଦରମା ବୃଦ୍ଧି ଓ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଘେରିବ ଦଳ । ଅଙ୍ଗନବାଡି କର୍ମୀମାନେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ବେଳେ ଏବେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ଆଣି ସେମାନଙ୍କୁ ଛଟେଇ କଲା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ଦିଦିମାନେ ଏବେ ଚିନ୍ତାରେ ଥିବା ଦଳ କହିଛି । ଏନେଇ ଆଜି ବିଜୁ ଶ୍ରମିକ ସାମୁଖ୍ୟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେଡି ।

ନୂଆ ଏଜୁକେସନ ପଲିସି କେବଳ ବାହାନା । ଅଙ୍ଗନବାଡି ଦିଦିଙ୍କ ହକ ଛଡାଇ ନେବାକୁ ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ବିରୋଧରେ ବଡ ଆନ୍ଦୋଳନ ପାଇଁ ସଜବାଜ । ରାସ୍ତାକୁ ଓହ୍ଲାଇବ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ । ଦାବି ପୂରଣ ପାଇଁ ସହଯୋଗ କରିବ ବିଜୁ ଶ୍ରମିକ ସାମୁଖ୍ୟ । ନୂଆ ଏଜୁକେସନ ପଲିସିରେ ତୁରନ୍ତ ଅଙ୍ଗନବାଡି ଦିଦିଙ୍କ ଦାୟିତ୍ବ ସ୍ପଷ୍ଟ କରିବାକୁ ଦାବି କରାଯାଇଛି । ସପ୍ଲିମେଣ୍ଟାରୀ ନ୍ୟୁଟ୍ରେସନ୍ କାର୍ଯ୍ୟକମ୍ରରେ ମୂଲ୍ୟବୃଦ୍ଧିକୁ ଦେଖି ଅଣ୍ଡା ଦର ନିର୍ଦ୍ଧାରଣ କରିବାକୁ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଜିଦ୍ ଧରିଛି । ଦାବି ପୂରଣ ନହେଲେ କାର୍ଯ୍ୟ ଛାଡି ପୁଣି ଲୋୟର ପିଏମଜିରେ ଗର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଆଜି ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଏକ ଜରୁରୀ ବୈଠକରେ ଆଲୋଚନା ହୋଇଛି । ବର୍ତ୍ତମାନ ରାଜ୍ୟରେ ଲାଗୁ କରାଯାଇଥିବା ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଅଙ୍ଗନବାଡି ଦିନି କ’ଣ କାର୍ଯ୍ୟ କରିବେ ସେ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ଏହାସହ ଶିଶୁବାଟିକାରେ ଅଙ୍ଗନବାଡି କର୍ମୀଙ୍କୁ କୌଣସି ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ନରଖି ସିନିୟରିଟି ବେସିସରେ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି ।

ସେପଟେ ରାଜ୍ୟରେ ଦେଢ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ କରୁଥିବା ବେଳେ ଅଙ୍ଗନବାଡି ଦିଦିଙ୍କୁ ୧୦ ହଜାର ଓ ସହାୟିକାଙ୍କୁ ୫ ହଜାର ଟଙ୍କା ଦରମା ପ୍ରଦାନ କରାଯାଉଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି କର୍ଯ୍ୟ କରିଆସୁଥିଲେ ମଧ୍ୟ ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିନାହାଁନ୍ତି । ଦିନକୁ ଦିନ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରୁଥିବା ବେଳେ ସେହି ଅନୁସାରେ ପାରିଶ୍ରମିକ ଦେଉ ନାହାଁନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ସରକାରୀ ମାନ୍ୟତା ପ୍ରଦାନ ସହ ଜାତୀୟ ଶିକ୍ଷା ନୀତିରେ ସେମାନଙ୍କର କାର୍ଯ୍ୟ ଏବଂ ଦାୟିତ୍ବ ସ୍ପଷ୍ଟ କରିବା ପାଇଁ ବିଜୁ ଶ୍ରମିକ ସାମୁଖ୍ୟ ଦାବି କରିଛି । ଏନେଇ ଆଜି ସାମୁଖ୍ୟ ପକ୍ଷରୁ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ବୈଠକ କରାଯିବା ସହ ଆଗାମୀ ଆନ୍ଦୋଳନ ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ପୂର୍ବରୁ ଅଙ୍ଗନବାଡି ଦିଦିମାନେ ୫ ବର୍ଷ ବୟସର ଶିଶୁମାନଙ୍କୁ ପାଠ ପଢାଇବା ସହ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ରହିଥିଲେ । କିନ୍ତୁ ଜାତୀୟ ଶିକ୍ଷାନୀତି ପରେ ଏବେ ସମସ୍ତେ ଦ୍ବନ୍ଦରେ ଅଛନ୍ତି ।