ଅଧାରେ ଅଟକିଛି ବିଜୁ ସେତୁ, ୭ ବର୍ଷ ହେଲା କାମ ସରିନି…

Biju Setu

ବୌଦ୍ଧ: ଅଧାରେ ଝୁଲୁଛି ବିଜୁ ସେତୁ । ଦୀର୍ଘ ୭ବର୍ଷ ବିତିଯାଇଥିଲେ ସୁଦ୍ଧା କାମ ସରିବାର ନାଁ ଧରୁନି । ବନ୍ୟା ଆସିଲେ ଦୁର୍ଗମ ଇଲାକାକୁ ଗମନାଗମନ ଠପ୍ ହୋଇଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ଅସନ୍ତୋଷ ।

ଠିକା ସଂସ୍ଥାର ମନମାନି ଯୋଗୁଁ ହଇରାଣ ହେଉଛନ୍ତି ସାଧାରଣ ଲୋକ । ଏଭଳି ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତରୁ । ଉକ୍ତ ପଞ୍ଚାୟତର କୁଡାଶିଙ୍ଗା ନାଳରେ ନିର୍ମାଣାଧିନ ବିଜୁସେତୁ ଦିନେ ବିକାଶର ସ୍ୱପ୍ନ ଦେଖାଇଥିବା ବେଳେ ଆଜି ବି ଅସଂପୂର୍ଣ୍ଣ ହୋଇ ପଡିରହିଛି । ଫଳରେ ବନ୍ୟା ଆସିଲେ କୁଶଙ୍ଗ, ମହାଳିକପଡା, ତଳଗାଁ ଭଳି ୨୦ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହୋଇଯାଉଛି । ଗମନା ଗମନର ସୁବିଧା ପାଇଁ ହୋଇଥିବା ଏହି ସେତୁ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସମାଧାନ ହୋଇପାରୁ ନାହିଁ ।

୨୦୧୪ରୁ ୨୦୧୬ ମଧ୍ୟରେ ୨ଥର ଟେଣ୍ଡର ଡକାଯାଇ ୨୦୧୮ ସୁଦ୍ଧା କାମ ସାରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ସେତୁ ପରିଦର୍ଶନ କରି ୨୦୨୦ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ତାଗିଦ କରିଥିଲେ । ହେଲେ ଆଜି ଯାଏଁ ସରିପାରୁନି କାମ । ଏବିଷୟରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏନେଇ ଅବଗତ ନଥିବା କହିଛନ୍ତି ।

Leave a Reply