ଯାଜପୁରରେ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ସର୍ବବୃହତ ପ୍ରତିମୂର୍ତ୍ତି ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ : ଟଲ୍ ମ୍ୟାନଙ୍କ ସର୍ବବୃହତ ପ୍ରତିମୂର୍ତ୍ତି। ଯାଜପୁରରେ ଉନ୍ମୋଚିତ ହେଲା ସବୁଠୁ ବଡ଼ ପ୍ରତିମୂର୍ତ୍ତି। ଏକାଠି ହେଲେ ହଜାର ହଜାର ବିଜୁ ପ୍ରେମୀ। ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୪୫ ଫୁଟର ବିଶାଳ ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚିତ କରି ଓଡ଼ିଶା ନିର୍ମାତାଙ୍କୁ ମନେ ପକାଇଛନ୍ତି ବିଜେଡି ନେତା। ବିଜୁ ବାବୁଙ୍କ ଚିନ୍ତାଧାରାରେ ଏକାଠି ହୋଇଛନ୍ତି ଓଡ଼ିଶାବାସୀ। ହୀନମନ୍ୟତା ଦର୍ଶାଇ ସରକାର ସିନା ବିଜୁ ଜୟନ୍ତୀ ଛୁଟି ବନ୍ଦ କଲେ। ହେଲେ ଓଡ଼ିଆଙ୍କ ମନରୁ ବିଜୁ ବାବୁଙ୍କୁ କଦପି କାଢ଼ି ହେବନି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଯାଜପୁର ଜିଲ୍ଲାରେ ଯାହା ବିକାଶ ହୋଇଛି ତାହା କେବଳ ବିଜୁ ବାବୁଙ୍କ ପାଇଁ। ଯାଜପୁରକୁ ଜିଲ୍ଲାର ମାନ୍ୟତା ସହ ଶିଳ୍ପାୟନ ନୂଆ ଯୁଗ ଆରମ୍ଭ କରିଥିଲେ ବିଜୁ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ହୃଦୟରେ ବିଜୁ ପଟ୍ଟନାୟକ ପ୍ରତି ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।
ବିଜୁ ଜୟନ୍ତୀରେ ଓଡ଼ିଶାର ସର୍ବବୃହତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ନେତା ଓ ବିଜୁ ପ୍ରେମୀ। ଏହା ପରେ ଯଯାତି କେଶରୀ ମେଡିକାଲ କଲେଜ ସମ୍ମୁଖରେ ଥବା ବିଶାଳକାୟ ୪୫ ଫୁଟର ସର୍ବବୃହତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକାଠି ହୋଇ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ ବିଜେଡି ନେତା। ଜନ୍ମ ଜୟନ୍ତୀରେ ଭୂମି ପୁତ୍ରଙ୍କୁ ମନେ ପକାଇ ତାଙ୍କ ସ୍ବପ୍ନକୁ ଆଗେଇ ନେବାକୁ ସଙ୍କଳ୍ପ ନେଇଥିଲେ ନେତା।
କାର୍ଯ୍ୟକ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ସଂଜୀବ ମଲ୍ଲିକ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରୀପାଠୀ, ବିଧାୟକ ବିଶ୍ୱ ରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ସାମିଲ ହୋଇଥିଲେ । ୧୦ ହଜାରରୁ ଅଧିକ ବିଜୁପ୍ରେମୀ ସାମିଲ ହୋଇ ବିଜୁବାବୁଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ମନେ ପକାଇଥିଲେ। ଯାହାକୁ ନେଇ ଉତ୍ସବ ମୁଖର ହୋଇଥିଲା ଯାଜପୁର ସହର।