ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବେ ବିଜେଡି ନେତା ଓ କର୍ମୀ । ଏହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସାରା ରାଜ୍ୟରେ ନିରାଡମ୍ବର ଭାବେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରାଯାଉଛି ।

ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ ୬ଟା ୩୦ରେ ତିଳ ତର୍ପଣ, ୭ଟା ୩୦ରେ ପ୍ରଭାତଫେରୀ କରାଯାଇଛି । ପରେ ସମୂହ ସଫେଇ ଅଭିଯାନ ଏବଂ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା ଓ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୫ଦିନ ଧରି ରକ୍ତଦାନ ଶିବିର ଚାଲିବ । ଆଜି ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି ।